ଆସନ୍ତା ୨୬ ତାରିଖ ଆନ୍ଦୋଳନରେ ସାମିଲ ହେବ ପ୍ରାଥମିକ ଶିକ୍ଷକ-ପିଷ୍ଟା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ଏପ୍ରିଲ ୨୬ ତାରିଖରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ପକ୍ଷରୁ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ ଦାବୀରେ ବିଧାନସଭା ସମ୍ମୁଖରେ ଯେଉଁ ଆନ୍ଦୋଳନ ଡାକରା ଦିଆଯାଇଛି, ଏହି ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକମାନେ ସାମିଲ ହେବେ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି । କେନ୍ଦ୍ର ସରକାର ୨୦୦୪ ମସିହାରେ ଓ ରାଜ୍ୟ ସରକାର ୨୦୦୫ ମସିହାରେ ପୁରୁଣା ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ନୂତନ ପେନସନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଯାହାଦ୍ୱାରା ସରକାରୀ କର୍ମଚାରୀମାନେ ଅବସରର ଅବଶିଷ୍ଟ ସମୟ କଷ୍ଟରେ ଜୀବନ ବିତାଇବାକୁ ପଡୁଛି । ପୁରୁଣା ପେନସନ ଉଚ୍ଛେଦ ଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ଜଣେ ସରକାରୀ କର୍ମଚାରୀ ୩୫ରୁ ୪୦ ବର୍ଷ କାର୍ଯ୍ୟ କଲା ପରେ ନୂତନ ପେନସନ ଯୋଜନାରେ ୧୦୦୦ ଟଙ୍କାରୁ ୧୫୦୦ଟଙ୍କା ପର୍ଯ୍ୟନ୍ତ ପେନସନ ପାଇବ ତେବେ ଅବସର ପରେ ଏହି ଟଙ୍କା କେଉଁ କାମରେ ଆସିବ ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା) ଅଭିଯୋଗ କରିଛି । ଯଦି ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ନାହିଁ ତେବେ ବିଧାୟକ ଓ ସାଂସଦ ମାନଙ୍କୁ କାହିଁକି ପୁରୁଣା ପେନସନ ଦିଆଯାଉଛି ବୋଲି ସଂଘ ପ୍ରଶ୍ନ ପଚାରିଛି । ପୁରୁଣା ପେନସନ ବ୍ୟବସ୍ଥାରେ କର୍ମଚାରୀମାନଙ୍କ ଶେଷ ଦରମାର ଅଧା ପେନସନ ମିଳୁଥିବା ବେଳେ ନୂତନ ପେନସନ ବ୍ୟବସ୍ଥାରେ ସେପରି କୌଣସି ବ୍ୟବସ୍ଥା ନାହଁ । ନୂତନ ପେନସନ ବ୍ୟବସ୍ଥାରେ କର୍ମଚାରୀମାନଙ୍କ ଦରମାର ୧୦ ଶତକଡ଼ା ଟଙ୍କାକୁ ସେୟାର ବଜାରରେ ଲଗାଯାଉଥିବାରୁ ସେ କେତେ ପେନସନ ପାଇବ ତାହା ସେହି ସମୟର ବଜାର ଦର ଠିକ କରିବ । ପୁରୁଣା ପେନସନ ହେଉଛି କର୍ମଚାରୀଙ୍କ ଅଧିକାର, ଏହାକୁ କେହି କ୍ଷୁର୍ଣ୍ଣ କରିପାରିବେ ନାହିଁ । ତେଣୁ ତୁରନ୍ତ ରାଜ୍ୟ ସରକାର ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ପିଷ୍ଟା ସଂଘର ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ ଦାବି କରିଛନ୍ତି । ଆସନ୍ତା ଏପ୍ରିଲ ୨୬ ତାରିଖରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ପକ୍ଷରୁ ବିଧନସଭା ସମ୍ମୁଖରେ ହେବାକୁ ଥିବା ଆନ୍ଦୋଳନରେ ସମସ୍ତ ପ୍ରାଥମିକ ଶିକ୍ଷକ ଯୋଗ ଦେବେ ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ