ଆସନ୍ତୁ ତାଳ ଗଛ ଲଗାଇବା: ପାୟଲ ମ୍ୟୁଜିକ ସ୍କୁଲର ଭିନ୍ନ ଏକ ପ୍ରୟାସ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ପ୍ରଥମ ଥର ପାଇଁ ଭିନ୍ନ ଏକ ପ୍ରଚେଷ୍ଟା କରିଛି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପାୟଲ ମ୍ୟୁଜିକ ସ୍କୁଲ । ଦୀର୍ଘ ଏକମାସ ଧରି ବିଭିନ୍ନ ସ୍ଥାନମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲଙ୍କ ପ୍ରଚେଷ୍ଟାରେ ହୋଇଆସୁଥିଲା । ଦିନକୁ ଦିନ ପୃଥିବୀ ପୃଷ୍ଟରୁ ତାଳ ଗଛ ଲୋପ ପାଇବାକୁ ବସିଛି । ଯାହାଫଳରେ ପ୍ରତିବର୍ଷ ବଜ୍ରପାତରେ ଅକାଳରେ ଅନେକ ଧନ,ଜୀବନ ହାନୀ ଘଟୁଛି । ବାଇ ଚଢେଇ ବଂଶ ବିଲୁପ୍ତ ହେବାକୁ ବସିଲାଣି । ପାରମ୍ପରିକ ତାଳପତ୍ର ସାମଗ୍ରୀ ବୁଡିବାକୁ ବସିଲାଣି । ଏସବୁକୁ ଆଖିଆଗରେ ରଖି ପାୟଲ ମ୍ୟୁଜିକ ସ୍କୁଲ ପ୍ରଥମ ଥର ପାଇଁ ଏକ ଭିନ୍ନ ପ୍ରଚେଷ୍ଟା ତାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାକୁ ଆଗେଇ ଆସିଛି । ଏଥିରେ ସ୍ଳୋଗାନ ରହିଛି ଆସନ୍ତୁ ତାଳ ଗଛ ଲଗାଇବା, ବଜ୍ରପାତରୁ ଜୀବନକୁ ବଞ୍ଚାଇବା । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଇନ୍ଦୁପୁର ଠାରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ କେନାଲବନ୍ଧର ଉଭୟ ପାଶ୍ୱର୍ରେ ଦୀର୍ଘ ୧୯ କିଲୋମିଟର ବ୍ୟାପି ତାଳଗଛ ଲଗାଇବା । ଏଥିରେ ମୁଖ୍ୟ ଅତିଥି ଭାବେ ପରିବେଶବୀତ ତଥା ଜାତୀୟ ଯୁବ ପୁରସ୍କାର ବିଜେତା ଇଂ ପ୍ରକାଶ ଚନ୍ଦ୍ର ଜେନା ଓ ସମ୍ମାନିତ ଅତିଥି ଭାବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶାର ପରିବେଶ ଶିକ୍ଷା କେନ୍ଦ୍ରର ଯୋଜନା ସହାୟକ ଭରତ କୁମାର ଜେନା ଏବଂ ସହାକାରୀ କୃଷି ଅଧିକାରୀ ଜୟନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ତାଳଗଛର ଚାରା ରୋପଣ କରିଥିଲେ ।


