ଆସିକା ପଂତାୟତ ସମିତିରେ ସ୍ଥାୟୀ ବିଡିଓ ପଦବୀ ପୂରଣ କେବେ?
ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ପରିଚାଳିତ ହୋଇଆସୁଥିବା ଆସିକା ପଂଚାୟତ ସମିତି କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ସ୍ଥାୟୀ ବିଡିଓ ଓ ଏବିଡିଓ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀଙ୍କ ସମେତ କେତେକ କର୍ମଚାରୀଙ୍କ ପଦବୀ ଖାଲି ପଡିଥିବା ଯୋଗୁଁ ସେ ଗୁଡିକ କେବେ ପୂରଣ ହେବ ବୋଲି ସଚେତନ ନାଗରିକ ମହଲରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ପଂଚାୟତ ସମିତି କାର୍ଯ୍ୟାଳୟ ୨୭ଟି ଗ୍ରାମ ପଂଚାୟତକୁ ନେଇ ଗଠିତ । ଗତ କିଛି ଦିନ ତଳେ ଆସିକା ବିଡିଓ ଫକୀର ଚରଣ ପରିଡାଙ୍କୁ ଅନ୍ୟତ୍ର ବଦଳି ହୋଇଯାଇଥିବା ବେଳେ ତାଙ୍କରି ସ୍ଥାନରେ ସ୍ଥାୟୀ ବିଡିଓ ରୂପେ ଅନ୍ୟ କାହାରିକୁ ଅଦ୍ୟାବଧି ନିଯୁକ୍ତି ଦିିଆଯାଇନଥିଲା ବେଳେ କବିସୂର୍ଯ୍ୟନଗର ବିଡିଓ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଆସିକା ବ୍ଳକର ୨୭ଟି ପଂଚାୟତରେ ୨୪ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟରତ ଥିବା ବେଳେ ୩ଟି କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଛି । ସେହିଭଳି ୨୭ଟି ପଂଚାୟତରେ ୨୭ ଜଣ ଗ୍ରାମ ରୋଜଗାର ସେବକ ରହିବା ସ୍ଥଳେ ମାତ୍ର ୭ ଜଣ କାର୍ଯ୍ୟରତ ଥିବା ବେଳେ ୨୦ଟି ଗ୍ରାମ ରୋଜଗାର ସେବକ ପଜବୀ ଖାଲି ପଡିଛି । ପଂଚାୟତ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ୨୭ ଜଣ ରହିବା ଜାଗାରେ ୧୯ ଜଣ କାର୍ଯ୍ୟରତ ଥିବା ବେଳେ ୮ଟି ପଦବୀ ଖାଲି ପଡିଥିବା ଜଣାପଡିଛି । ଆସିକା ପଂଚାୟତ ସମିତି କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡିଥିବାରୁ କେତେକ ପଂଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବିଭିନ୍ନ ସମୟରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ସାଙ୍ଗକୁ ସରକାରଙ୍କ ବହୁବିଧ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଓ ଜନସଚେତନତା ଏବଂ ଗ୍ରାମାଂଚଳର ସର୍ବାଙ୍ଗୀନ ବିକାଶ ଦିଗରେ ଗ୍ରାମ ପଂଚାୟତ ଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି । ତେବେ ଦୀର୍ଘ ଦିନ ହେଲା ଆସିକା ପଂଚାୟତ ସମିତି କାର୍ଯ୍ୟାଳୟ ସମେତ କେତେକ ପଂଚାୟତରେ ବହୁ ପଦପଦବୀ ଖାଲି ପଡିଥିଲା ବେଳେ ସେ ଗୁଡିକୁ ପୂରଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ପଂଚାୟତ ସମିତିରେ ସ୍ଥାୟୀ ବିଡିଓ ଓ ଏବିଡିଓ ସମେତ ବିଭିନ୍ନ ପଂଚାୟତରେ ଖାଲି ପଡିଥିବା ପଦପଦବୀ ଗୁଡିକ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।