ଇତିହାସରେ ପ୍ରଥମ: ଏକାଥରେ ନନ୍ଦନକାନନକୁ ଆସିଲେ ୧୪ ପ୍ରଜାତିର ୫୮ ବିଦେଶୀ ଜୀବଜନ୍ତୁ
କଟକ, (ଓ୍ବାଇଏନଏସ): ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର । ଶୁକ୍ରବାର ବିଳମ୍ବିତ ରାତିରେ ନନ୍ଦନକାନନକୁ ଆସିଛନ୍ତି ୧୪ ପ୍ରଜାତିର ୫୮ଟି ବିଦେଶୀ ଜୀବଜନ୍ତୁ । ଏକା ଥରକେ ଏତେ ସଂଖ୍ୟକ ଜୀବଜନ୍ତୁ ଆସିବା ନନ୍ଦନକାନନ ଇତିହାସରେ ପ୍ରଥମ ଘଟଣା । ନୂତନ ଜୀବଜନ୍ତୁ ଆସିବା ପରେ ପ୍ରାଣୀଉଦ୍ୟାନରେ ଜନ୍ତୁଙ୍କ ପ୍ରଜାତି ସଂଖ୍ୟା ବୃଦ୍ଧି ହୋଇ ୧୮୮ରେ ପହଞ୍ଚିଛି । ଆସିଥିବା ଜୀବଜନ୍ତୁଙ୍କ ମଧ୍ୟରୁ ୧୦ଟି ପ୍ରଜାତି ପ୍ରଥମ କରି ଅଣାଯାଇଛି । ୩ଟି ପ୍ରଜାତି ରକ୍ତ ସମ୍ପର୍କକୁ ବଦଳାଇବା ପାଇଁ ଓ ଗୋଟିଏ ପ୍ରଜାତି ବଂଶ ବୃଦ୍ଧି ପାଇଁ ସାଥି ହୋଇପାରିବ । ଏହି ଜୀବଜନ୍ତୁ ଗୁଜୁରାଟର ରାଧାକୃଷ୍ଣ ଟେମ୍ପଲ ଏଲିଫାଣ୍ଟ ୱେଲ୍ଫେୟାର ଟ୍ରଷ୍ଟରୁ ଉପହାର ସ୍ୱରୂପ ମିଳିଛି । ଏଥିରେ ଅଛନ୍ତି ୨ ହଳ ଜେବ୍ରା, ୨ ହଳ କଙ୍ଗାରୁ, ୩ହଳ ୱାଲାବି, ୨ ହଳ ରିଙ୍ଗ ଟେଲ୍ଡ ଲେମୁର, ୨ ହଳ ଟଫଟେଡ୍ କାପୁଚିନ୍, ୨ହଳ ସ୍କାଲଟ୍ ମାକାଓ, ୨ ହଳ ବ୍ଲୁ-ଏଣ୍ଡ ଗୋଲ୍ଡ ମାକାଓ, ୨ ହଳ ଗ୍ରୀନ୍-ୱିଙ୍ଗ୍ଡ ମାକାଓ, ୨ ହଳ ସଲଫର-କ୍ରେଷ୍ଟେଡ୍ କାକାତୁଆ, ୨ ହଳ କ୍ରାଉନ୍ଡ କ୍ରେନ୍, ୨ ହଳ ସ୍କାରଲେଟ୍ ଆଇବିସ୍, ୩ ହଳ ମିରକାଟ, ହଳେ କାସାବାରୀ ଓ ୨ ହଳ ବ୍ଲୁ ୱାଇଲ୍ଡବିଷ୍ଟ । ସମସ୍ତ ଜୀବଜନ୍ତୁଙ୍କୁ ଏବେ ସଙ୍ଗରୋଧ ଗୃହ (କ୍ୱାରେଣ୍ଟାଇନ୍ ସେଣ୍ଟର) ରେ ରଖାଯିବ ।କିଛିଦିନ ସଙ୍ଗରୋଧ ଗୃହରେ ରହିବା ପରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ବିଭିନ୍ନ ପ୍ରାକୃତିକ ବାସସ୍ଥାନ ନିର୍ମାଣ କରି ରଖାଯିବ । ଏହି ନୂତନ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ପ୍ରଜାତି-ବିବିଧତାକୁ ସମୃଦ୍ଧ କରିବା ସହ ଏହାର ସଂରକ୍ଷଣ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବ । ଏହା ପର୍ଯ୍ୟଟକଙ୍କୁ ବିଭିନ୍ନ ଅଞ୍ଚଳର ବନ୍ୟପ୍ରାଣୀ, ସେମାନଙ୍କ ପରିବେଶ, ଜୈବବିବିଧତା ସଂରକ୍ଷଣର ଗୁରୁତ୍ୱ ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରିବ।


