ଉତ୍କଳ ଯାଦବ ମହାସଭା, ଭୁବନେଶ୍ୱର ଜିଲ୍ଲା ତରଫରୁ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସ୍ୱର୍ଗତ ମୁଲାୟମ ସିଂ ଯାଦବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା, ସଂରକ୍ଷକ, ଲୋହିଆ ଜୟପ୍ରକାଶ ଆନ୍ଦୋଳନର ଉତୁଙ୍ଗ ରାଜନେତା ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ସ୍ୱର୍ଗତ ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ଉତ୍କଳ ଯାଦବ ମହାସଭା, ଭୁବନେଶ୍ୱର ଜିଲ୍ଲା ତରଫରୁ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟର ଲୋହିଆ ଭବନରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଗଠନର ସାଧାରଣ ସମ୍ପାଦକ ତଥା ଆଇନଜୀବୀ ଅକ୍ଷୟ ପ୍ରସାଦ ବେହେରା ସ୍ୱର୍ଗତ ମୁଲାୟମ ସିଂ ଯାଦବଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏଥିରେ ଯୋଗଦେଇ ଦେଶର ଅଖଣ୍ଡତା, ସଂହତି ଓ ଧର୍ମନିରପେକ୍ଷତା ଆନ୍ଦୋଳନକୁ ମୁଲାୟମଙ୍କ ଅବଦାନ ଉପରେ ସବିଶେଷ ଆଲୋଚନା କରିଥିଲେ । ମୁଲାୟମ ସିଂ ଯାଦବଙ୍କ ବିୟୋଗରେ “ଡେ ଅଫ୍ ଡେଥ୍ ମର୍ଣ୍ଣିଂ” ଏକ ସ୍ମାରକୀ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଅନିଲ ଧୀରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଉଦ୍‌ଘାଟିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଯାଦବ ମହାସଭାର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ, କଂଗ୍ରେସର ମୁଖପାତ୍ର ପଦ୍ମାକର ଗୁରୁ, ଆଇନଜୀବୀ ଅଶୋକ ବେହେରା, ତନୁଜା ଦାସ, ସୁହାଙ୍ଗିନୀ ବେହେରା, ଦୀପକ ବେହେରା ଯାଦବ, ରାଜ୍ୟ ସରକାରଙ୍କ ଉପସଚିବ ଅଶୋକ କୁମାର ଗୌଡ଼, ଅମିତାଭ ଖିଲାର, ମାନସ ଦାସ, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଧରଣୀଧର ବେହେରା, ମହାକାଳପଡ଼ାର ଜିଲ୍ଲା ପରିଷଦ ପ୍ରଶାନ୍ତ ସାମନ୍ତରାୟ, ଅରକ୍ଷିତ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆସନ୍ତା ୨୧.୧୦.୨୦୨୨ରିଖ ଶୁକ୍ରବାର ଦିନ ସନ୍ଧ୍ୟା ୫ ଘଟିକା ସମୟରେ ଜୟଦେବ ଭବନଠାରେ ସମସ୍ତ ରାଜନୈତିକ ଦଳ ଓ ଗଣସଂଗଠନଗୁଡ଼ିକୁ ନେଇ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସର୍ବଶ୍ରୀ ସରୋଜ କୁମାର ବେହେରା, ଦୀପକ ବେହେରା ଯାଦବ, ପଦ୍ମାକର ଗୁରୁ, ଆଇନଜୀବୀ ଅକ୍ଷୟ ପ୍ରସାଦ ବେହେରା, ଅମିତାଭ ଖିଲାରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଗଲା । ଶେଷରେ ଧରଣୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ