ଏକ୍ସିସ ବ୍ୟାଙ୍କ କୃଷି ମ୍ୟାନେଜରଙ୍କ ଆତ୍ମହତ୍ୟା

ବୁଗୁଡା, (ଅନିଲ ମହାରଣା): ବୁଗୁଡା ଶାଖା ଏକ୍ସିସ ବ୍ୟାଙ୍କ କୃଷି ମ୍ୟାନେଜର ନିଜେ ରହୁଥିବା ରୁମରେ ଫ୍ୟାନରେ ଟୁଆଲ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱର ମହାନଗର ବାସିନ୍ଦା ଶାଶ୍ୱତ ଦାଶ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ବୁଗୁଡା ଶାଖା ଏକ୍ସିସ ବ୍ୟାଙ୍କ କୃଷି ମ୍ୟାନେଜର ଭାବେ କାମ କରି ଆସୁଥିଲେ।ସେ ବୁଗୁଡା ଶକ୍ତି ନଗରରେ ଘର ଭଡା ନେଇ ଏକାକୀ ରହୁଥିଲେ। ତାଙ୍କ ବଡଭାଇ ମଧ୍ୟ ଏକ ବ୍ୟାଙ୍କର ମ୍ୟାନେଜର ଅଟନ୍ତି। ଆତ୍ମହତ୍ୟାର କାରଣ ଜଣା ପଡିନଥିଲେ ମଧ୍ୟ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ସେହି ପାଖରେ ୫ ଟି ଖାଲି ମଦ ବୋତଲ ପଡିଥିବା ଯୋଗୁଁ ବହୁ ପରିମାଣ ମଦ୍ୟପାନ କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସେ ଗତ ରାତିରେ ଆତ୍ମହତ୍ୟା କରିଥିବା ବେଳେ ଭିତର ପଟୁ କବାଟ ବନ୍ଦ ଥିଲା। ସକାଳେ ଶାଶ୍ୱତ ଦାଶ ବ୍ୟାଙ୍କକୁ ନଆସିବା ଯୋଗୁଁ ମ୍ୟାନେଜର ଫୋନ କରିଥିଲେ ମଧ୍ୟ ଫୋନ ନଉଠାଇବା ଯୋଗୁଁ ଜଣେ କର୍ମଚାରୀଙ୍କୁ ଡାକିବା ପାଇଁ ପଠାଇଥିଲେ। କର୍ମଚାରୀ ଜଣଙ୍କ କବାଟ ବାଡେଇ ଯେତେ ଡାକିଲେ ମଧ୍ୟ କୃଷି ମ୍ୟାନେଜର ନଶୁଣିବା ଯୋଗୁଁ ଫେରିଯାଇଥିଲେ। ଫଳରେ ମ୍ୟାନେଜର ପୋଲିସରେ ଖବର ଦେବାପରେ ବୁଗୁଡା ପୋଲିସ କୃଷି ମ୍ୟାନେଜରଙ୍କ ଭଡା ଘରେ ପହଞ୍ଚି ଭେଣ୍ଟିଲେଟର ପଟେ ଘର ଭିତରକୁ ଦେଖିଲା ପରେ ଆତ୍ମହତ୍ୟା କରିଥିବା ଜାଣିପାରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ କବାଟକାଟି ଶବ ଉଦ୍ଧାର କରିଥିଲେ। ବୁଗୁଡା ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପାରିପାର୍ଶ୍ବିକ ଦୃଶ୍ୟକୁ ଦେଖିଲେ ଏହା ଆତ୍ମହତ୍ୟା ବୋଲି ଜଣାପଡୁଥିଲେବି ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ