ଏକ ସପ୍ତାହ ହେଲା ବାଲିଗୁଡାରେ ଜଳ ଯୋଗାଣ ବନ୍ଦ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବର୍ଷା ଦିନରେ ପାଣି ପାଇଁ ଛଟପଟ ହେଉଛନ୍ତି ବାଲିଗୁଡା ସହରବାସୀ। ଆଗାମୀ ଦିନକୁ ନେଇ ଚିନ୍ତାରେ ଅଛନ୍ତି ସହରବାସୀ। ଏକ ସପ୍ତାହରୁ ଅଧିକ ଦିନ ହୋଇଗଲାଣି ବାଲିଗୁଡା ସହରେ ଜଳ ଯୋଗାଣ ବଦ ହୋଇଯାଇଛି। ପାନୀୟଜଳ ନିମନ୍ତେ ଲୋକେ ହନ୍ତସନ୍ତ ହେଉଛନ୍ତି। ପାଣି ପାଇଁ ଲୋକେ ବର୍ତ୍ତମାନ କୂପ କିମ୍ବା ନଳକୂପ ଉପରେ ଭରସା କରୁଛନ୍ତି। ସାହି ପଡିଶା ଘରୁ ହାଣ୍ଡି ମାଠିଆ ଧରି ପାଣି ମାଗୁଛନ୍ତି ଲୋକେ। ଗତ ତିନିଦିନ ଧରି ଜଳ ଯୋଗାଣ ବନ୍ଦ ଅଛି କାରଣ ମୋଟର ଖରାପ ଅଛି ବୋଲି ବାଲିଗୁଡା ଜଳ ଯୋଗାଣର ଦ୍ୱାୟୀତ୍ୱରେ ଥିବା କର୍ମଚାରୀମାନେ କହିଛନ୍ତି। କିନ୍ତୁ ପାଟଖଣ୍ଡା ସାହି, ଚମ୍ପାସାହି ଭଳି ବହୁସାହିକୁ ଏକ ସପ୍ତାହରୁ ଅଧିକ ଦିନ ହେବ ଜଳ ଯୋଗାଣ ବନ୍ଦ ରହିଅଛି। ପ୍ରତ୍ୟେକ ଦିନ ସକାଳୁ ଲୋକେ କାଳେ ପାଇପରେ ପାଣି ଆସିବ ଭାବି ପାଇପ ପାଖରେ ହାଣ୍ଡିମାଠିଆ ଧରି ଜଗି ରହୁଛନ୍ତି। କିନ୍ତୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କଲେ ମଧ୍ୟ ପାଣି ଆସୁନାହିଁ। ବାଧ୍ୟ ହୋଇ ଲୋକେ ଅସନ୍ତୋଷରେ ଘରକୁ ଫେରୁଛନ୍ତି। ଏହି ବାବଦରେ ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟକୁ ଗଲେ କାର୍ଯ୍ୟାଳୟରେ କାହାର ମଧ୍ୟ ଦେଖାନାହିଁ। ଯେଉଁ ୪ର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି ପଚାରିଲେ କିଛି କହିପାରୁ ନ ଥିବା ବେଳେ ସାର୍ ଟୁରରେ ଯାଇଛନ୍ତି ବୋଲି କହୁଛନ୍ତି। ପାନୀୟ ଜଳ ପାଇଁ କାହାକୁ ଗୁହାରୀ କରିବେ ବୋଲି ଏବେ ଦ୍ୱନ୍ଦ୍ୱରେ ଅଛନ୍ତି ଅଞ୍ଚଳ ବାସୀ। ନିୟମିତ ଭାବେ ପାନୀୟ ଜଳ ଯୋଗାଣ ତୁରନ୍ତ କରାଯାଉ ଅନ୍ୟଥା ବାଧ୍ୟ ହୋଇ ରାଜରାସ୍ତା କୁ ଓଲ୍ହାଇବୁ ବୋଲି ସାହି ବାସିନ୍ଦା ମାନେ ଚେତାବନୀ ଦେଇଛନ୍ତି ।


