ଏଥର ଆଇପିଏଲ୍‌ ଭାରତରେ: ଏପ୍ରିଲ ୧୧ରୁ

ନୂଆଦିଲ୍ଲୀ : କୋଭିଡ୍‌ ମହାମାରୀ ଯୋଗୁଁ ମାର୍ଚ୍ଚ ୨୦୨୦ ପରେ ପ୍ରଥମ ଥର ପାଇଁ କ୍ରିକେଟ୍‌ ପ୍ରତିଯୋଗିତା ଭାବେ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିକୁ ସଫଳତାର ସହ ଆୟୋଜନ କରିବା ପରେ ଏବେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଆଉ ଦୁଇଟି ଘରୋଇ ପ୍ରତିଯୋଗିତା ଆୟୋଜନ କରିବାକୁ ପ୍ରସ୍ତୁତ ହୋଇଯାଇଛି। ଫେବ୍ରୁଆରି-ମାର୍ଚ୍ଚରେ ବିଜୟ ହଜାରେ ଟ୍ରଫି ଏବଂ ମହିଳା ଦିନିକିଆ ପ୍ରତଯୋଗିତା ଆୟୋଜିତ ହେବ। ଏହି ତିନିଟି ପ୍ରତିଯୋଗିତା ଦେଶରେ କରୋନା କଟକଣା ମଧ୍ୟରେ ସମ୍ଭବ ହେବାକୁ ଯାଉଥିବାରୁ ବିସିସିଆଇ ମଧ୍ୟ ଏଥର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ର ଚତୁର୍ଦଶ ସଂସ୍କରଣକୁ ଭାରତରେ ହିଁ କରିବ ବୋଲି ନିଷ୍ପତ୍ତି ନେଇଛି। ଗତ ସଂସ୍କରଣ ୟୁଏଇରେ ଆୟୋଜନ କରିଥି‌ଲା ବେଳେ ଏଥର କିନ୍ତୁ ଆଇପିଏଲ୍‌କୁ ଦେଶରେ କରିବୁ ବୋଲି ବିସିସିଆଇ କହିଛି। ଆସନ୍ତା ଏପ୍ରିଲରେ ଆଇପିଏଲ୍‌ ଆୟୋଜିତ ହେବ। କରୋନା ପରିସ୍ଥିତି ଯୋଗୁଁ ୟୁଏଇକୁ ବିକଳ୍ପ ଭ‌ାବେ ରଖିଥିଲୁ। ୟୁଏଇ ମଧ୍ୟ ସୁଯୋଗ ପାଇଲେ ୨୦୨୧ ଆଇପିଏଲ୍‌ କରିବ ବୋଲି ଆଗଭର ରହିଥିଲା। ହେଲେ ସାଂପ୍ରତିକ କରୋନା ସ୍ଥିତି ଭାରତ ଅପେକ୍ଷା ୟୁଏଇରେ ଅଧିକ ଖରାପ ରହିଛି। ତେଣୁ ୟୁଏଇରେ ନୁହେଁ ଭାରତରେ ହିଁ ଏଥର ଆଇପିଏଲ୍‌ ଆୟୋଜିତ ହେବ। ବିଶେଷକରି ଏପ୍ରିଲ ଦ୍ବିତୀୟ ସପ୍ତାହ (୧୧ରୁ ୧୪ ମଧ୍ୟ‌ରେ)ରେ ଆରମ୍ଭ ହୋଇ ପ୍ରତିଯୋଗିତା ଜୁନ୍‌ ପ୍ରଥମ ସପ୍ତାହ (୬ ତାରିଖ)ରେ ଶେଷ ହେବ। ଇଂଲଣ୍ଡ ବିପକ୍ଷ ଭାରତର ଘରୋଇ ଶୃଙ୍ଖଳା ମାର୍ଚ୍ଚ ୨୮ ତାରିଖରେ ଶେଷ ହେବ। ଏହାପରେ ଦୁଇ ସପ୍ତାହ ବ୍ୟବଧାନରେ ଅନ୍ୟ ପ୍ରତିଯୋଗିତା ଖେଳାଯାଇପାରିବ ବୋଲି ଆଇସିସିର ନିୟମ ରହିଛି। ଏହି ଦୃଷ୍ଟିରୁ ଏପ୍ରିଲ ୧୧ ପରଠୁ ଆଇପିଏଲ୍‌ ଆୟୋଜନ ନେଇ କୌଣସି ଅସୁବିଧା ନାହିଁ ବୋଲି ବିସିସିଆଇ କହିଛି। ଏଥର ଆଇପିଏଲ୍‌ ପାଇଁ ମୁମ୍ବାଇର ୱା‌ଙ୍ଖ୍‌ଡେ, ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌, ଡିୱାଇ ପା‌ଟିଲ ଷ୍ଟାଡିୟମ୍‌, ରିଲାଏନ୍ସ କ୍ରିକେଟ୍‌ ଷ୍ଟାଡିୟମ୍‌ (ନଭି ମୁମ୍ବାଇ) ଏବଂ ପୁଣେ ନିକଟସ୍ଥ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌କୁ ଆଇପିଏଲ୍‌ ଭେନ୍ୟୁ ଭାବେ ନିଆଯାଇପାରିବ। ସେହିପରି ଅହମ୍ମଦାବାଦର ମୋଟେରାରେ ନବନିର୍ମିତ ସର୍ଦାର ପଟେଲ ଷ୍ଟାଡିୟମ୍‌କୁ ମଧ୍ୟ ଅନ୍ୟତମ ଭେନ୍ୟୁ ଭାବେ ବିଚାରକୁ ନିଆଯିବ ବୋଲି ବିସିସିଆଇ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ