ଏନ୍କାଉଣ୍ଟର୍: ୪ ଆତଙ୍କୀ ନିହତ
ଶ୍ରୀନଗର(ଏଜେନ୍ସି): ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅପରେଶନ ଅଲଆଉଟ୍କୁ ଆଜି ବୃହତ୍ ସଫଳତା ମିଳିଛି । ଉପତ୍ୟକାର ଦୁଇଟି ସ୍ଥାନରେ ହୋଇଥିବା ଏନ୍କାଉଣ୍ଟର ପ୍ରକ୍ରିୟାରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନରେ ୩ଆତଙ୍କୀ ନିହତ ହୋଇଥିବା ବେଳେ କୁପୱାଡାରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ଗୁରୁବାର ପ୍ରତ୍ୟୁଷରେ ଜମ୍ମୁ-କାଶ୍ମୀର ଅନ୍ତର୍ଗତ ସୋପିଆନ୍ ଅନ୍ତର୍ଗତ କେଲାର ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟି ୩ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ସୁରକ୍ଷାବଳଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ ସୋପିଆନ୍ ଜିଲ୍ଲାର କେଲାର୍ ଅନ୍ତର୍ଗତ ୟାର୍ୱାନ୍ ଅଞ୍ଚଳର ସର୍ଚ୍ଚ ଆଣ୍ଡ୍ କର୍ଡନ୍ ଅଭିଯାନ ସମୟରେ ଏହି ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଏମାନେ ଲସ୍କର-ଏ-ତୋଇବା ଆତଙ୍କୀ ସଂଗଠନର ସଦସ୍ୟ ବୋଲି ସ୍ପଷ୍ଟ ହୋଇଛି । ସେମାନଙ୍କ ଠାରୁ ବହୁସଂଖ୍ୟକ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି । ତେବେ ଏହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ରହିଥିବା ଅନୁମାନ କରାଯାଉଥିବାରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଉତ୍ତରକାଶ୍ମୀରର ହଣ୍ଡୱାରା ଅନ୍ତର୍ଗତ ୟାରୁ ଅଞ୍ଚଳରେ ଅନ୍ୟ ଏକ ଏନ୍କାଉଣ୍ଟର୍ ପ୍ରକ୍ରିୟା ଆରମ୍ଭ ହୋଇଛି । ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍ କରାଯାଇଛି ବୋଲି ଜମ୍ମୁ କାଶ୍ମୀର ପୁଲିସ ଟୁଇଟ୍ କରିଛି । ସେହିପରି କୁପୱାଡାର ହିନ୍ଦୱାରାରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏଥରେ ଜଣେ ମୁଜାହିଦ୍ଦିନ୍ ଆତଙ୍କୀ ନିହତ ହୋଇଛି ।