ଏସଓଜି ଓ ଡ଼ିଭିଏଫର ମିଳିତ କମ୍ବିଙ୍ଗ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ମାସ ୧୧ ତାରିଖ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କାଣାସାଲୁ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ମହିଳା କ୍ୟାଡର ମାଓବାଦୀଙ୍କ ମୃତଦେହକୁ ଆଜି ପୁଲିସ ପକ୍ଷରୁ ପୋତି ଦିଆଯାଇଛି। ମୃତକଙ୍କ ପରିଚୟ ଏଯାଏଁ ମିଳିନି l ଏସଓଜି ଏବଂ ଡିଭିଏଫ ବାହିନୀ ପକ୍ଷରୁ ଶନିବାର ପୁଣି ହୋଇଥିବା ସର୍ଚ୍ଚ ଅପରେସନରୁ ସମ୍ପୃକ୍ତ ସ୍ଥାନରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ବିଷୟ କନ୍ଧମାଳ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ । ଜବତ ସାମଗ୍ରୀ ମଧ୍ୟରେ ରହିଛି ମାଓ ପୋଷାକ, ଔଷଧ, ବାସନକୁସନ, କମ୍ବଳ, ବେଗ, ଖାଦ୍ୟ ଜିନିଷ ସହ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ଏସବୁ ଜିନିଷ ଘଟଣାସ୍ଥଳରୁ କିଛି ଦୂରରେ ଲୁଚାଇ ରଖାଯାଇଥିଲା। ସୂଚନାଯୋଗ୍ୟ, ଏହି ସ୍ଥାନରେ ମାଓବାଦୀ ରହିଥିବା ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ଗତ ୯ ତାରିଖ ଦିନ ଅପରେସନ ଆରମ୍ଭ କରାଯାଇଥିଲା। ମାଓ-ପୁଲିସ ଗୁଳି ବିନିମୟରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସଂପୃକ୍ତ ମାଓବାଦୀ ଜଣକ ଛତିଶଗଡ଼ କ୍ୟାଡରର ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କର ପ୍ରକୃତ ପରିଚୟ ମିଳିନଥିବା ଏସପି ଅଗ୍ରୱାଲ କହିଛନ୍ତି l ସେଠାରେ ୨୦ରୁ ଅଧିକ ମାଓବାଦୀ ରହିଥିବା ପୁଲିସ ଅନୁମାନ କରୁଥିବା ବେଳେ ଡିସିଏମ ମମତା ଏହି ଦଳର ନେତୃତ୍ୱ ନେଉଥିବା ଏସପି ସୂଚନା ଦେଇଛନ୍ତି। ତାଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି । ଇତି ମଧ୍ୟରେ ନିୟମ ଅନୁଯାୟୀ ଶବ ବ୍ୟବଚ୍ଛେଦର ୭୨ ଘଣ୍ଟା ପରେ ମୃତ ମହିଳା ମାଓବାଦୀଙ୍କ ଶବକୁ ପୁଲିସ ପକ୍ଷରୁ ପୋତି ଦିଆଯାଇଛି। ସଂପୃକ୍ତ ସ୍ଥାନରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରୀ ରହିଥିବା ଏସପି ଅଗ୍ରୱାଲ ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ