ଓଏସଏସସି ମହାଦୁର୍ନୀତି ବିରୋଧରେ ଛାତ୍ରକଂଗ୍ରେସର ବିଶାଳ ବକ୍ଷୋଭ
ଭୁବନେଶ୍ୱର, (ୱାଇଏନ୍ଏସ୍): ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ମହାଦୁର୍ନୀତି ପ୍ରସଙ୍ଗରେ ସୋମବାର ବାଲିପାଟଣା ବ୍ଲକରେ ର୍ୟାଲି ଏବଂ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସ ସଂପାଦକ ସଂଦୀପ ରାଉତରାୟଙ୍କ ଦ୍ୱାରା ଆୟୋଜିତ ୫୦୦ରୁ ଉର୍ଦ୍ଧ୍ୱ ମଟୋରସାଇକେଲ୍ ଆରୋହୀ ଛାତ୍ର କଂଗ୍ରେସ କର୍ମୀଙ୍କ ର୍ୟାଲି ବିଶ୍ୱନାଥପୁର ପେଟ୍ରୋଲ ଟାଙ୍କି ରୁ ବାହାରି ବାଲିପାଟଣା ଛକ ଦେଇ ବାଲିପାଟଣା ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାଲିପାଟଣା ବ୍ଲକ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ନୱାଜ କହିଥିଲେ ଯେ ଷ୍ଟାଫସିଲେକସନ ଦୁର୍ନୀତିକୁ ଘୋଇବାପାଇଁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରୁଛନ୍ତି । ଭିଜିଲାନ୍ସ ତଦନ୍ତ କିରାଣୀ ବିଂରଚି ସାହୁ ପାଖରେ ସୀମିତ । ବଡପଣ୍ଡାମାନେ ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ନିରାପଦ । ଛାତ୍ର କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ କରିବ । ନବୀନ ସରକାର ଚାକିରୀ ବିକ୍ରି ପ୍ରସଙ୍ଗରେ ଜନଜାଗରଣ ସୃଷ୍ଟି ହେବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଯୋଗଦେଇ କହିଥିଲେ ଯେ ନବୀନ ସରକାର ଓଡ଼ିଶାର ଛାତ୍ର ସମାଜକୁ ପ୍ରତାରିତ କରିଛି । ସେମାନଙ୍କ ଜୀବନର ସ୍ୱପ୍ନ ଓ ସଂକଳ୍ପକୁ ଅପହରଣ କରିଛି । ଏକ ଦୁର୍ବାର ଛାତ୍ର ଆନ୍ଦୋଳନ ପାଇଁ ଛାତ୍ର କଂଗ୍ରେସ ପ୍ରସ୍ତୁତ ହେଉଛି । ଏହି କାର୍ଯ୍ୟକ୍ରମରେ ଅଖିଳେଷ୍ ୟାଦବ୍, କାର୍ତିକ କାଣ୍ଡି, ରଂଞ୍ଜିତ୍ ସେନାପତି ଅଂଶଗ୍ରହଣ କରିଥିଲେ । ବାଲିପାଟଣା ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟ , ବାଲିଅନ୍ତା ବ୍ଲକ କଂଗ୍ରେସ ସଭାପତି ଜନ୍ମଜୟ ସ୍ୱାଇଁ , ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ଭୋଇ ପ୍ରମୁଖ ବିକ୍ଷୋଭ ସଭାରେ ସକ୍ରିୟ ଅଶଂଗ୍ରହଣ କରିଥିଲେ ।


