ଓଡ଼ିଆ ରାସ୍ତାରେ ଗଲେ ୪୪କିମି ସେହି ରାସ୍ତାକୁ ଇଂରାଜୀରେ ଗଲେ ୨୯ କିମି

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ଓଡ଼ିଆ ରାସ୍ତାରେ ଗଲେ ୪୪ କିମି, ସେହି ରାସ୍ତାକୁ ଇଂରାଜୀରେ ଗଲେ ୨୯ କିମି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପୁର୍ତ୍ତ ବିଭାଗର ଅଜବ ନୀତି ଯାହା ଦ୍ୱାରା ସାଧାରଣ ଲୋକ ଦ୍ଵନ୍ଦରେ ପଡିଛନ୍ତି। ପୁର୍ତ୍ତ ବିଭାଗର କିଲୋମିଟର ଲେଖା ଯାଇଥିବା ବୋର୍ଡ ରେ ସାଂଘାତିକ ତ୍ରୁଟି। ଏପରି ତ୍ରୁଟିକୁ ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କୁ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଅବଗତ କରିବା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ। କଥାରେ ଅଛି “ଚେଇଁ ଶୋଇ ଥିବ ଯିଏ ତାକୁ ଉଠେଇବ କିଏ” ଏହିପରି ଉକ୍ତି ଆଜି ସତ୍ୟ ଦେଖିବାକୁ ମିଳିଛି। ସାଧାରଣ ଲୋକ ଯଦି ଓଡ଼ିଆ କିଲୋମିଟର ଲେଖା ହିସାବରେ ଯିବେ ତାହେଲେ ଅଧିକ ରାସ୍ତା ଅତିକ୍ରମ କରିବା ପରେ ଆପଣ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ।ଯଦି ଆପଣ ସେହି ରାସ୍ତାକୁ ଇଂରାଜୀ ଲେଖା ହିସାବରେ ଯିବେ ତାହେଲେ ଓଡ଼ିଆ ଲେଖା ଠାରୁ ବହୁ କମ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଗନ୍ତବ୍ୟ ଆପଣ ପହଁଚି ପାରିବେ ବୋଲି ଆମେ କହୁ ନାହୁଁ ଏହା ପୁର୍ତ୍ତ ବିଭାଗର ଲେଖା ଯାହା କହୁଛି ଆମେ ତାହାକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ଚେଷ୍ଟା କରୁଛୁ।ବାକି ସାଧାରଣ ଜନତା ବିଚାର କରିବେ ଯେ ପୂର୍ତ୍ତ ବିଭାଗ ଦ୍ଵାରା ଲେଖା ଯାଇଥିବା ଓଡ଼ିଆ ରେ ଲେଖା ଯାଇଥିବା କିଲୋମିଟର ହିସାବରେ ଯିବେ ନା ଇଂରାଜୀ ରେ ଲେଖା ଯାଇଥିବା କିଲୋମିଟର ହିସାବରେ ଯିବେ ଆପଣ ମାନେ ନିର୍ଣ୍ଣୟ କରିବେ।ଏପରି ଏକ ଦୃଶ୍ୟ ଦେଖିବକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ଥାନା-କାଳିଆଗୁଡା ଯିବା ଛକ ଠାରେ ପୁର୍ତ୍ତ ବିଭାଗର ଏକ ଓଭର ହେଡ ବୋର୍ଡ ଲାଗିଛି ଯେ ଓଡ଼ିଆରେ ଲେଖା ଯାଇଥିବା କିଲୋମିଟର-୪୪ ଅତିକ୍ରମ କରିବା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ରେ ପହଞ୍ଚିବେ।ସେହି ଛକ ଠାରୁ ଯଦି ଆପଣ ଇଂରାଜୀରେ ଲେଖା ଯାଇଥିବା କିଲୋମିଟର ହିସାବରେ ଯିବାକୁ ହେଲେ ଆପଣ ମାତ୍ର ୨୯ କିଲୋମିଟର ଅତିକ୍ରମ କରିବା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ରେ ପହଞ୍ଚିବେ।ପୁର୍ତ୍ତ ବିଭାଗର ଏପରି ସାଙ୍ଘାତିକ ତ୍ରୁଟି ଥିବା ସତ୍ତ୍ୱେ ପୁର୍ତ୍ତ ବିଭାଗର ଅଧିକାରୀ ମାନଙ୍କ ନଜର କିପରି ପଡିଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତାହା ସହିତ ପୁର୍ତ୍ତ ବିଭାଗର ମାଥିଲି ଠାରେ ଥିବା କନିଷ୍ଠ ଯନ୍ତ୍ରୀ ମାଥିଲି ସଦର ମହକୁମା ଠାରେ ରହୁ ଥିବା ବେଳେ ଆମେ ବାରମ୍ବାର ଯୋଗାଯୋଗ କରୁଥିଲେ ମଧ୍ୟ ଆମର ଫୋନ ଗ୍ରହଣ କରିବା ଦୂରର କଥା ଆମକୁ କୌଣସି ସମୟରେ ଆମକୁ କଲ କରୁ ନାହାନ୍ତି।ତାହା ସହିତ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ଅନେକ ଥର ଅଭିଯୋଗ କରିବା ପରେ ବି କାହାରିକୁ ଖାତିର କରୁ ନାହାନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି।ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତର ସହ ନେଇ ଲେଖା ଯାଇଥିବା ଲେଖାର ତ୍ରୁଟି ମାର୍ଜନା କରିବା ସହିତ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ