ଓଡ଼ିଶାର ଗୌରବକୁ ନୂଆ ଶିଖରରେ ପହଞ୍ଚାଇ ପାରିଛି

ପ୍ରଦୀପ ସେନାପତି
୧୯୩୬ ମସିହା ଅପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ଦୀର୍ଘ ୮୮ ବର୍ଷର ଯାତ୍ରା ପଥରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ପରିଲକ୍ଷିତ ହୋଇଛି । ନିର୍ଦ୍ଦିଷ୍ଟ ଭାବେ ଆମ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ନେତୃତ୍ୱ ବହନ କରିଛି । ଏଣୁ ଓଡ଼ିଶାରେ ଆଜି ପରମ୍ପରା ଏବଂ ଆଧୁନିକତାର ଏକ ବିରଳ ସମନ୍ୱୟ ଘଟିଛି । ଏହି ପବିତ୍ର ଭୂମି ଆମର ଇତିହାସ, ପୁରାଣଶାସ୍ତ୍ର ଓ ଆଧ୍ୟାତ୍ମିକ ଶକ୍ତି ନିମନ୍ତେ ବିଶ୍ୱ ପ୍ରସିଦ୍ଧିଲାଭ କରିଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଭାରତ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହା ଦେଶର ପ୍ରଥମ ଓଡ଼ିଆ ଭାଷାଭିତ୍ତିକ ରାଜ୍ୟ ଗଠନର ମୂଳ ଦୁଆ ପକାଇଥିଲା । ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାଶ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଗଙ୍ଗାଧର ମେହେର ଓ ଫକୀରମୋହନ ସେନାପତିଙ୍କ ଅବଦାନକୁ ଏ ଜାତି ସବୁଦିନ ସ୍ମରଣ ରଖିବ । ଆମ ପାଇଁ ଏହି ଗୌରବ ଆଣିଦେଇଥିବା ଓଡ଼ିଶା ମାଆର ବରପୁତ୍ରମାନଙ୍କ ପ୍ରତି ଏହି ପବିତ୍ର ଦିବସ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି ।ଚଳିତବର୍ଷ ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୮ ବର୍ଷ ପାଳନ କରୁଅଛୁ । ୧୯୩୬ ରୁ ୨୦୨୪ ଏହି ୮୮ ବର୍ଷ ମଧ୍ୟରେ ଓଡ଼ିଆ ଜାତି ଅନେକ ସଫଳତା ପାଇଛି । ଅନେକ କଠିନ ପରିସ୍ଥିତିର ମୁକାବିଳା ମଧ୍ୟ କରିଛି । ୧୯୪୭ରେ ଦେଶ ସ୍ୱାଧୀନ ହେଲା ଗଡ଼ଜାତ ରାଜ୍ୟସବୁ ଭାରତରେ ମିଶି ଅଖଣ୍ଡ ଭାରତବର୍ଷ ଗଠନର ରୂପ ନେଲା । ଏଥିରେ ମଧ୍ୟ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କଲା । ନୂଆ ବ୍ୟବସ୍ଥା, ନୂଆ ସମ୍ବିଧାନ ଓ ବିକାଶ ଯୋଜନାରେ ଦେଶ ଆଗକୁ ବଢ଼ିଲା । ଓଡ଼ିଶା ମଧ୍ୟ ଏହି ବିକାଶ ଯାତ୍ରାରେ ନିଜକୁ ସଫଳ ଭାବରେ ଆନ୍ତର୍ଜାତିକ ସ୍ତରରେ ସାମିଲ କରିପାରିଛି । ଓଡ଼ିଆ ଭାଷା ଆଜି ଶାସ୍ତ୍ରୀୟମାନ୍ୟତା ଲାଭ କରିପାରିଛି । ଓଡ଼ିଆ ଲେଖକମାନେ ସେମାନଙ୍କ କୃତୀ ଦ୍ୱାରା ଭାରତର ସାରସ୍ୱତ ଜଗତର ଗୌରବ ବୃଦ୍ଧି କରିଛନ୍ତି । ଓଡ଼ିଆ ଖେଳାଳୀମାନେ ଦେଶର ସୁନାମ ବଢ଼ାଇଛନ୍ତି । ଓଡ଼ିଆ ପିଲାମାନେ ସେମାନଙ୍କ ପ୍ରତିଭା ଦ୍ୱାରା ଦେଶକୁ ଗର୍ବିତ କରୁଛନ୍ତି । ଓଡ଼ିଶାର ନୃତ୍ୟ, ସଙ୍ଗୀତ ଓ ଲୋକକଳା ଆଜି ଦେଶ ବିଦେଶରେ ଓଡ଼ିଆ ଜାତିପାଇଁ ପ୍ରସିଦ୍ଧି ଆଣିଦେଇଛି । ଅତୀତର ସମୃର୍ଦ୍ଧି ଓ ବୀରତ୍ୱର ଗାଥା ଏକ ଅପୂର୍ବ ସମ୍ମିଶ୍ରଣ ସହ ବର୍ତ୍ତମାନର ବିକାଶ ଓ ସଶକ୍ତିକରଣ ଦିଗରେ ଉଦ୍ୟମ ଆମମାନଙ୍କୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରି ଗଢ଼ିତୋଳିଛି । ସୁଦୂର ଦେଶମାନଙ୍କ ସହ ଆମ୍ଭର ନୌବାଣିଜ୍ୟ ସମ୍ପର୍କ, ସମୟ ପ୍ରବାହରେ ଆଧ୍ୟାତ୍ମିକ ଓ ନୈତିକ ଜୟଯାତ୍ରା ଏବଂ ସଦ୍‌ଭାବ ଓ ମାର୍ମିକ ସୃଜନଶୀଳତାର ଅନନ୍ୟ ଐତିହ୍ୟ ସମ୍ପର୍କରେ ଆମକୁ ଧାରଣା ଦେଇଥିବା ଓଡ଼ିଶା ହେଉଛି ଗୌରବମୟ ଐତିହ୍ୟ ଏବଂ ସମୃର୍ଦ୍ଧି, ସାଂସ୍କୃତିକ ପରମ୍ପରାର ଅଧିକାରୀ । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ବିକାଶ ଆନ୍ତର୍ଜାତୀୟ କ୍ଷେତ୍ରରେ ଏହାର ପ୍ରସାର ଦିଗରେ ଓଡ଼ିଶାର ଅବଦାନ ବାସ୍ତବିକ ଅତୁଳନୀୟ । ସମଗ୍ର ବିଶ୍ୱ ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟାଦ୍ୱାରା ପରିଚାଳିତ । ବିକାଶ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଓଡ଼ିଶା କ୍ଷେତ୍ରରେ ମଧ୍ୟ ଅନୁଭୂତ ହୋଇଛି । ଯାହା ଆମର ଜୀବନଧାରଣ ମାନରେ ଏକ ସକରାତ୍ମକ ପ୍ରଭାବ ପକାଇବା ସହ ସାମାଜିକ ଏବଂ ଅର୍ଥନୈତିକ ସମସ୍ୟାଗୁଡ଼ିକୁ ସମାଧାନ କରିବା ଦିଗରେ ସହାୟକ ହୋଇପାରିଛି । ଏଣୁ ସାମ୍ପ୍ରତିକ ସ୍ଥିତିରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଯୁକ୍ତି ଶିକ୍ଷା ଏବଂ ବାଣିଜ୍ୟକେନ୍ଦ୍ର ରୂପେ ପରିଗଣିତ ହୋଇଛି । ପୁଞ୍ଜିନିବେଶ ଏବଂ ସହଜ ବ୍ୟବସାୟ କରିପାରିବାର ଭିତ୍ତିଭୂମି ସୃଷ୍ଟି କରିବାରେ ଓଡ଼ିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ୨୦୧୫ ମସିହାରେ ପ୍ରଣୀତ ନୂତନ ଶିଳ୍ପନୀତି ସହ ରାଜ୍ୟ ସରକାର ୨୦୨୫ ମସିହା ସୁଦ୍ଧା ୨.୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ ଏବଂ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖି ଓଡ଼ିଶା ଶିଳ୍ପ ବିକାଶ ଯୋଜନା ୨୦୨୫ ପ୍ରଣୟନ କରିଛନ୍ତି । ଓଡ଼ିଶାରେ ମୋବାଇଲ ଆପର ଶୁଭାରମ୍ଭ, ଅନଲାଇନ୍ ତଦାରଖ ବ୍ୟବସ୍ଥା ଏବଂ ଲ୍ୟାଣ୍ଡ ବ୍ୟାଙ୍କ ପରି ଓଡ଼ିଶାରେ ଶିଳ୍ପ ସଂସ୍କାର ସମଗ୍ର ବିଶ୍ୱରେ ଉଚ୍ଚ ପ୍ରଶଂସିତ ହୋଇପାରିଛି । ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଦେଶର ନ୧ମ୍ବର ସ୍ମାର୍ଟ ସିଟି ରୂପେ ବିବେଚିତ ହୋଇଛି । ବିଶ୍ୱ ଦରବାରକୁ ଭୁବନେଶ୍ୱରର ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ଏହି ସରକାର ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଧାରାର ସୁରକ୍ଷା ଏବଂ ବିକାଶ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ନିମନ୍ତେ ପ୍ରତିଶୃତିବଦ୍ଧ ଏବଂ ଭଚ୍ୟୁଆଲ ଓଡ଼ିଆ ୟୁନିଭରସିଟି ପ୍ରତିଷ୍ଠା ସମେତ ରାଜ୍ୟ ସରକାର ମଧ୍ୟ ଭାଷା ଓ ସାହିତ୍ୟର ବିକାଶ ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ୱତନ୍ତ୍ର ପ୍ରଦେଶ ଗଠନ ୮୮ ବର୍ଷରେ ଉପନୀତ ହୋଇଥିବା ଓଡ଼ିଶା ଆଜି ନିରନ୍ତର ବିକାଶ ଏବଂ ଏହାର ଜନସାଧାରଣଙ୍କ ସଶକ୍ତିକରଣ କ୍ଷେତ୍ରରେ ସଫଳ ହୋଇପାରିଛି । ୨୦୩୬ ମସିହାରେ ଓଡ଼ିଶା ଗଠନର ୧୦୦ବର୍ଷ ପୂର୍ତ୍ତି ଅବସରରେ ସାମଗ୍ରିକ ଅଭିବୃଦ୍ଧିର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ସରକାର ରଖିଛନ୍ତି ଏବଂ ଯୋଜନାବଦ୍ଧ ଅଭିବୃଦ୍ଧି କାର୍ଯ୍ୟକ୍ରମ “ଭିଜନ – ୨୦୩୬” ପ୍ରସ୍ତୁତି ନିମନ୍ତେ ଓଡ଼ିଶାର ଅଭିଜ୍ଞ, ଦକ୍ଷ ଏବଂ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ବିଶେଷଙ୍କର ସହଯୋଗ କାମନା କରୁଛନ୍ତି । ଆଜିର ଏହି ପବିତ୍ର ଦିବସ ଅବସରରେ ଆସନ୍ତୁ ଆମ ମାତୃଭୂମିର ଟେକ ବଜାୟ ରଖିବା, ମାତୃଭାଷାର ସମ୍ମାନକୁ ବଜାୟ ରଖିବା ଏବଂ ଆମ୍ଭର ସହଭାଗୀ ଓ ମାତୃଭୂମିର ସେବା ସହ ନିଃସ୍ୱାର୍ଥପର କାର୍ଯ୍ୟକଳାପ ଦ୍ୱାରା ଆମ୍ଭର ସଂସ୍କୃତି ଏବଂ ଐତିହ୍ୟ ସମୃଦ୍ଧି କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା । ଏଣୁ ଏହି ପରିପ୍ରେକ୍ଷୀରେ ଆଜିର ଏହି ପବିତ୍ର ଓଡ଼ିଶା ଦିବସର ଶୁଭ ଅବସରରେ ଓଡ଼ିଶାବାସୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ