ଓଡ଼ିଶା ରାଜନୀତିର ଚାଣକ୍ୟ ତଥା ପ୍ରବୀଣ ସାରସ୍ୱତ ସାଧକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୬ତମ ଜନ୍ମ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଜନନାୟକ, ଓଡ଼ିଶା ରାଜନୀତିର ଚାଣକ୍ୟ, ଆସାମର ପୂର୍ବତନ ରାଜ୍ୟପାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବୀଣ ସାରସ୍ୱତ ସାଧକ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୬ତମ ଜନ୍ମ ଉତ୍ସବ ଓ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ ସ୍ଥାନୀୟ ଜୟଦେବ ଭବନରେ ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମ୍ମୃତି ସଂସଦ ପକ୍ଷରୁ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ ଜଙ୍ଗଲ, ପରିବେଶ, ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ କହିଲେ ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ କେବଳ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ କିମ୍ବା ଆସାମର ପୂର୍ବତନ ରାଜ୍ୟପାଳ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭାବରେ ସମାଜରେ ପରିଚିତ ହୋଇ ରହିବେ ତାହା ନୁହେଁ, ତାଙ୍କ ସାରସ୍ୱତ ସାଧନା ତାଙ୍କୁ ଚିରଦିନ ପାଇଁ ସମାଜରେ ଅମର ରଖିବ । ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାକୁ ଆଗେଇ ନେବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ ତାହା ଅତ୍ୟନ୍ତ ସ୍ମରଣୀୟ । ସେହିପରି ତାଙ୍କ ସାରସ୍ୱତ ସାଧନା ପାଇଁ ସେ ଓଡ଼ିଆ ସାହିତ୍ୟରେ ସବୁଦିନ ପାଇଁ ଅମର ରହିବେ । ଏତଦ୍ବ୍ୟତୀତ ତାଙ୍କୁ ରାଜନୀତିରେ ଚାଣକ୍ୟ ବୋଲି କୁହାଯାଏ । ଅତ୍ୟନ୍ତ ଦକ୍ଷତାର ସହିତ ଓ ଧୈର୍ଯ୍ୟଶୀଳ ମନୋଭାବ ନେଇ ସେ ପ୍ରତ୍ୟେକ କାର୍ଯ୍ୟକୁ ସମାଧାନ କରିପାରୁଥିଲେ ।ଉତ୍ସବ ପ୍ରାରମ୍ଭରେ ସ୍ମୃତି ସଂସଦର ସଭାପତି ତଥା ପୂର୍ବତବ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ସ୍ୱାଗତ ଭାଷଣ ଦେବା ସହ ନିଜ ବକ୍ତବ୍ୟ କହିଥିଲେ ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ଯଶ୍ୱସୀ ଜନନାୟକ, ଓଡ଼ିଶା ରାଜନୀତିର ଚାଣକ୍ୟ, ପ୍ରବୀଣ ସାରସ୍ୱତ ସାଧକ, ବିଶିଷ୍ଟ ସାମ୍ବାଦିକ ଓ ସର୍ବୋପରି ପରିବେଶପ୍ରେମୀ ଥିଲେ । ତେଣୁ ରାମେଶ୍ୱରଠାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ସ୍ଥାନୀୟ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗଦେଇ କହିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ମୁଁ ଏକ ସମୟରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ କେନ୍ଦ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲୁ । ଯଦି ଓଡ଼ିଶା ପ୍ରତି ଅତ୍ୟନ୍ତ ମାଟି ମନସ୍କ ହୋଇ ସେ ନିଜକୁ କେବଳ ଓଡ଼ିଶା ରାଜନୀତିରେ ସଂଶ୍ଲିଷ୍ଟ ନରଖି କେନ୍ଦ୍ର ରାଜନୀତିରେ ସମ୍ପୃକ୍ତ ହୋଇଥାନ୍ତେ, ତେବେ ମୁଁ ରାଷ୍ଟ୍ରପତି ହେବା ପୂର୍ବରୁ ସେ ଏହି ପଦବୀରେ ଅଧିଷ୍ଠିତ ହୋଇପାରିଥାନ୍ତେ । ତାଙ୍କ ପାଖରେ ସେହି ଦକ୍ଷତା ମୁଁ ଉପଲବ୍ଧି କରିପାରିଥିଲି ବୋଲି ଶ୍ରୀ ମୁଖାର୍ଜୀ କହିଥିଲେ । ସର୍ବୋପରି ଜାନକୀ ବଲ୍ଲଭ ପଟ୍ଟନାୟକ ରାଜନୀତିରେ ଥାଇ ମଧ୍ୟ ସାରସ୍ୱତ ସାଧନା ପ୍ରତି ଏତେ ମାତ୍ରାରେ ଗୁରୁତ୍ୱ ଦେଇଥିଲେ ଯେ, ସେ ରାମାୟଣ, ମହାଭାରତ, ଭାଗବତ ଆଦି ଗ୍ରନ୍ଥର ଓଡ଼ିଆ ଗଦ୍ୟାନୁବାଦ କରିବା ସହ ବଙ୍କିମଚନ୍ଦ୍ର ଉପନ୍ୟାସ ମାଳାର ଅନୁବାଦ କରିଥିଲେ । ସେ ଏକଧାରାରେ ଓଡ଼ିଆ ସାହିତ୍ୟ, ବଙ୍ଗଳା ସାହିତ୍ୟ, ଇଂରାଜୀ ସାହିତ୍ୟ ଓ ସଂସ୍କୃତ ସାହିତ୍ୟରେ ଗଭୀର ଜ୍ଞାନର ଅଧିକାରୀ ଥିଲେ ।ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଲେ ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ ହଜାର ଦିନରେ ହଜାର କୋଟିରେ ହଜାର ଶିଳ୍ପ ସ୍ଥାପନ କରିପାରିଥିଲେ । ତାଙ୍କ ସମୟରେ ଓଡ଼ିଶାର ଅଦ୍ଭୁତ ଉନ୍ନତି ସାଧନ ହୋଇଥିଲା । ସେ କୋରାପୁଟ ଅଞ୍ଚଳରେ ସର୍ବପ୍ରଥମେ ଦୁଇ ଟଙ୍କିଆ ଚାଉଳ ପ୍ରଦାନ କରିବା ଆରମ୍ଭ କରିଥିଲେ । ବିଶିଷ୍ଟ ସ୍ତମ୍ଭକାର ଓ ଚିନ୍ତକ ଡଃ ଭଗବାନ ପ୍ରକାଶ ଯୋଗଦେଇ କହିଲେ ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ ସାମ୍ବାଦିକତା, ସାହିତ୍ୟ ଓ ରାଜନୀତିର ଏକ ତ୍ରିବେଣୀ ସଙ୍ଗମ ଥିଲେ । ବାସ୍ତବରେ ଓଡ଼ିଶା ମାଟିରେ ଏପରି ଜଣେ ରାଜନେତାଙ୍କୁ ଦେଖିବା ବିରଳ । ତାଙ୍କର କର୍ମ ପାଇଁ ସେ ଓଡ଼ିଶା ଜନମାନସରେ ସବୁଦିନ ଅମର ରହିବେ ବୋଲି ଡଃ ପ୍ରକାଶ କହିଥିଲେ । ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶ୍ରୀ ହରେକୃଷ୍ଣ ଶତପଥୀ ଯୋଗଦେଇ କହିଲେ ଯେ, ସଂସ୍କୃତ ସାହିତ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଗଭୀର ଜ୍ଞାନ ଥିଲା । ସେ ଭର୍ତ୍ତୃହରିଙ୍କ ନୀତିଶତକ, ଶୃଙ୍ଗାଳଶତକ ଆଦିକୁ ଚମତ୍କାର ଭାବରେ ଅନୁବାଦ କରିଥିଲେ । ଉତ୍ସବରେ ସଭାପତିତ୍ୱ କରି ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ାର ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ କେବଳ ଜଣେ ବ୍ୟକ୍ତି ନଥିଲେ, ଏକ ଅନୁଷ୍ଠାନ ଥିଲେ । ରାଜନୀତି, ସାହିତ୍ୟ, ସାମ୍ବାଦିକତା ପ୍ରତି କ୍ଷେତ୍ରରେ ସେ ଗଭୀର ଜ୍ଞାନର ଅଧିକାରୀ ଥିଲେ । ପ୍ରକୃତରେ ସେ ଜଣେ ସଫଳ ବ୍ୟକ୍ତି ଥିଲେ । ତାଙ୍କ ଦ୍ୱାରା ଆମେ ଅନୁପ୍ରାଣିତ ହୋଇପାରିଲେ ତାଙ୍କ ପ୍ରତିଭାର ବିଭିନ୍ନ ଦିଗ ସମ୍ପର୍କରେ ଜାଣିପାରିଲେ ଆମେ ନିଜକୁ ଉପଯୁକ୍ତ ମାର୍ଗରେ ଗଢି ତୋଳିବା ପାଇଁ ଯଥେଷ୍ଟ ଖୋରାକ ପାଇପାରିବା । ଏହି କାର୍ଯ୍ୟକ୍ରମରେ ସ୍ମୃତି ସଂସଦର ସମ୍ପାଦକ ଶ୍ରୀ ବିଶ୍ୱମୋହନ ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ବକ୍ତବ୍ୟ ରଖି କହିଲେ ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ ସବୁବେଳେ କହି ଆସୁଥିଲେ ଯେଉଁ କୁଳରେ ମୁଁ ଜନ୍ମ ହେବି ତାହା ଦୈବୀର ବିଧାନ । କିନ୍ତୁ ଯେଉଁ ଭଲକାମ ମୁଁ କରିପାରିବି, ତାହା ମୋର ଅଧୀନ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଶ୍ରୀ ରାଜାରାମ ଶତପଥୀ, ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଦାସ ବେନହୁର ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ପାଇଁ ପୂର୍ବତନ ବନ ସଂରକ୍ଷକ ଶ୍ରୀ ଗଦାଧର ମହାପାତ୍ରଙ୍କ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।


