ଗ୍ଲୋବାଲ ପିସ୍ ଫାଉଣ୍ଡେସନ ତରଫରୁ ବିଶ୍ୱ ସଂଘତି ଦିବସ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗ୍ଲୋବାଲ ପିସ୍ ଫାଉଣ୍ଡେସନ ତରଫରୁ ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ବିଶ୍ୱ ସଂଘତି ଦିବସ ପାଳିତ ହୋଇଯାଇଛି । ଗ୍ଲୋବାଲ ପିସ୍ ଫାଉଣ୍ଡେସନ ଏକ ସାର୍ବଜନୀନ, ଜନହିତକାରୀ, ଲାଭବିହୀନ ଅସାଧାରଣ ଅନୁଷ୍ଠାନ ଯାହା ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଜନସଚେତନତା ସୃଷ୍ଟି କରି ସ୍ଥାୟୀ, ଶାନ୍ତି ଓ ସମୃଦ୍ଧି ଉଦ୍ଦେଶ୍ୟରେ କାର୍ଯ୍ୟ କରି ଚାଲିଛି । ଗ୍ଲୋବାଲ ପିସ୍ ଫାଉଣ୍ଡେସନ ଏଭଳି ଏକ ବିଶ୍ୱର ପରିକଳ୍ପନା କରିଛି ଯେଉଁଠି ନଥିବ ଭୟ, ଅଶାନ୍ତି ଓ ଆଶଙ୍କା । ଏହାର ଲକ୍ଷ ସଂଯୁକ୍ତ ପୃଥିବୀ । ସମଗ୍ର ବିଶ୍ୱରେ ସଂଘତି ପ୍ରତିଷ୍ଠା ପାଇଁ ଜାନୁୟାରୀ ୧ ତାରିଖକୁ ବିଶ୍ୱବ୍ୟାପୀ ସଂଘତି ଦିବସ ଭାବରେ ପାଳନ କରିବାକୁ ଗ୍ଲୋବାଲ ପିସ୍ ଫାଉଣ୍ଡେସନ ମିଳିତ ଜାତିସଂଘ ନିକଟରେ ପ୍ରସ୍ତାବ ରଖିଛି । ‘ବସୁଧୈବ କୁଟୁମ୍ବକମ୍’ ନିତିରେ ଉଦ୍ବୁଦ୍ଧ ହୋଇ ସମଗ୍ର ବିଶ୍ୱକୁ ଏକ ବିଶ୍ୱଗ୍ରାମରେ ପରିଣତ କରିବାକୁ ବିଶ୍ୱବାସୀଙ୍କୁ ଆହ୍ୱାନ ଦିଆଯାଇଛି ।ଏହି ଦିବସ ପାଳନ ଅବସରରେ ପୃଥିବୀର ପ୍ରତ୍ୟେକ ଦେଶର ଜାତୀୟ ପତାକାର ଏକତ୍ରିକରଣ କରାଯାଇ ସାଙ୍କେତିକ ଭାବରେ ବିଶ୍ୱରେ ସଂଘତି ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସମଗ୍ର ପୃଥିବୀରେ ଭରି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜଟିଳ ସମସ୍ୟାର ସମାଧାନ ଓ ମୁକାବିଲା ପାଇଁ ପୃଥିବୀର କୌଣସି ଦେଶ ଆନ୍ତରିକତାର ସହ ଆଗଭର ହେଉନଥିବା ଦୃଷ୍ଟିରୁ ବିଶ୍ୱର ପ୍ରତ୍ୟେକ ଦେଶର ସହଭାଗିତାରେ ଏକ ସର୍ବୋଚ୍ଚ କ୍ଷମତାପ୍ରାପ୍ତ ମୁରବୀ ସରକାର ‘ବିଶ୍ୱ ସରକାର’ ଗଠନ ହେବା ଆବଶ୍ୟକ ବୋଲି ସମାରୋହରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ବିଶ୍ୱ ସଂଘତି ଉପରେ ଗୁରୁତ୍ୱାରୋପ କରିଥିଲେ । ଗ୍ଲୋବାଲ ପିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ାକ୍ତର ରାଜକିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ଡା ପଣ୍ଡା ଅନୁଷ୍ଠାନର ଆଭିମୁଖ୍ୟ, କାର୍ଯ୍ୟକ୍ରମ, ବିଶ୍ୱଶାନ୍ତି ଓ ବିଶ୍ୱ ସଂଘତି ଉପରେ ଆଲୋକପାତ କରିଥିଲେ । ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜ ସଂସ୍କାରକ ଡକ୍ଟର ଭଗବାନ ପ୍ରକାଶ ଯୋଗଦେଇ ବିଶ୍ୱ ସଂଘତି ଓ ବିଶ୍ୱ ସରକାର ଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଗ୍ଲୋବାଲ ପିସ୍ ଫାଉଣ୍ଡେସନର ଓଡ଼ିଶା ରାଜ୍ୟ ସଂଯୋଜକ ପ୍ରବୀର କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଭୁବନେଶ୍ୱର ସଂଯୋଜକ ପ୍ରଫେସର ରବି ରାୟ ଅତିଥି ପରିଚୟ ଦେଇଥିଲେ । ଫାଉଣ୍ଡେସନର ସମ୍ପାଦିକା ଇଂ ସଂଘମିତ୍ରା ସାବତ ଗ୍ଲୋବାଲ ପିସ୍ ଫାଉଣ୍ଡେସନ ସମ୍ପର୍କରେ ଆଲୋକପାତ କରିଥିଲେ । ନୃତ୍ୟଶିଳ୍ପୀ ସୌମ୍ୟା ପତି ସ୍ୱାଗତ ନୃତ୍ୟ ପ୍ରଦର୍ଶନ କରିଥିଲେ । ଓଡ଼ିଶାର ବିଶିଷ୍ଟ ସମାଜସେବୀ ଏବଂ ମଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପ୍ରତିଷ୍ଠାତା ପଦ୍ମଚରଣ ନାୟକଙ୍କୁ ଗ୍ଲୋବାଲ ପିସ୍ ଫାଉଣ୍ଡେସନର ପିସ୍ ଆୱାର୍ଡ଼ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ମୁଖପତ୍ର ସହିତ ଫାଉଣ୍ଡେସନର ଅଧ୍ୟକ୍ଷ ଡାକ୍ତର ରାଜକିଶୋର ପଣ୍ଡାଙ୍କ ଲିଖିତ ଗଳ୍ପ ସଂକଳନ ‘ଅଗ୍ନି ଶିଖାରେ ରଙ୍ଗ’ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସମାଜସେବୀମାନେ ଉପସ୍ଥିତ ଥିଲେ । ଅଧ୍ୟାପକ ଦାମୋଦର ବେହେରା, ସମାଜସେବୀ ସତ୍ୟରଞ୍ଜନ କର, ପ୍ରବୋଧ ନାୟକ, ସନ୍ତୋଷ କୁମାର ଦାସ, ଗିରିଶ ବିହାରୀ ମିଶ୍ର, ବିବେକାନନ୍ଦ ବିଶ୍ୱାଳ, ନିରୋଦ ବରଣ ଖୁଣ୍ଟିଆ, ଶ୍ରୀ ସୋମ, ରାମଚନ୍ଦ୍ର, କେଶବ ରାଉତରାୟ, ମାଗଙ୍ଗାଳିକା ମହାପାତ୍ର, ଅଶୋକ ଦାସ, ଡକ୍ଟର ସରୋଜ ମହାନ୍ତି, ପ୍ରମୋଦ ସାହୁ, ଗୌର ଦାସ, ବଟକୃଷ୍ଣ ବେହେରା, ଅମିତାଭ ମହାପାତ୍ର, ଡକ୍ଟର ବଂଶୀଧର ନାୟକ, ଡକ୍ଟର ଆଦିକନ୍ଦ ବେହେରା, ବିଚିତ୍ରାନନ୍ଦ ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ମାନବାଧିକାର କର୍ମୀ ଭଜମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


