ଓଡିଶା କୃଷକ ସଭା ଜିଲ୍ଲା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଐତିହାସିକ କୃଷକ ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ଭାଗିଦାର ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା ଶାଖାର ସପ୍ତମ ସମ୍ମିଳନୀ ଆସନ୍ତା ଅକ୍ଟୋବର ୧୮ ଓ ୧୯ ଦୁଇଦିନ ଧରି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନ ଆଣିବା, ଧାନ କ୍ୟୁଣ୍ଟାଲ ପ୍ରତି ତିନି ହଜାର ଟଙ୍କା ପ୍ରଦାନ ସହିତ ମଣ୍ଡି ବ୍ୟବସ୍ଥାର ସରଳିକରଣ କରି ଚାଷୀ ଓ ଭାଗଚାଷୀଙ୍କ ଠାରୁ ଧାନ କିଣିବା, ଭାଗଚାଷୀମାନଙ୍କୁ ମାନ୍ୟତା ପ୍ରଦାନ ସହିତ ସମସ୍ତ ସରକାରୀ ସୁବିଧା ଯୋଗାଇଦେବା, ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରତ୍ୟାହାର ଓ ଅଘୋଷିତ ବିଦ୍ୟୁତ କାଟ ବନ୍ଦକରିବା, ଜିଲ୍ଲାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ଓ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାପ୍ରଭୃତି ଦାବିରେ ଅନୁଷ୍ଠିତ ଏହି ସମ୍ମିଳନୀର ସଫଳତା ପାଇଁ ଗଠିତ ଅଭ୍ୟର୍ଥନା କମିଟିର ପ୍ରଥମ ବୈଠକ ଭୀଷଣ ବର୍ଷା ସତ୍ୱେ ବୋଧଗାଁ ସ୍ଥିତ ଗୋପବନ୍ଧୁ ଯୁବକ ସଙ୍ଘ ସଭାଗୃହରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଶିଷ୍ଟ କବି ପରିବେଶବୀତ ହେମନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, ଅଭ୍ୟର୍ଥନା କମିଟି ସମ୍ପାଦକ ବିଜୟ ଦାସ, ସଂଗଠନର ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ଆଡଭୋକେଟ ପ୍ରଫୁଲ୍ଲ କୁମାର ଦାଶ, ସମ୍ପାଦକ ସହଦେବ ଦାସ, ସୁଦର୍ଶନ ରାଉତ, ରଞ୍ଜନ ସ୍ୱାଇଁ, ପରମାନନ୍ଦ ପଲେଇ, ସୁରେନ୍ଦ୍ର ପରିଡା, ଭଜହରି ପ୍ରଧାନ, ପ୍ରତାପ ନାୟକ, ଶ୍ରୀଧର ଜେନା, ରବୀନ୍ଦ୍ର ମଳିକ, ଭୀମସେନ ବେହେରା, ଦାଶରଥି ସାହୁ ପ୍ରମୁଖ ବକ୍ତବ୍ୟ ରଖି ସମ୍ମିଳନୀର ସଫଳତା ପାଇଁ ଜନଗଣଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ କବି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ଚାଷୀ ସଂଗୀତ ଗାନ କରିଥିଲେ । ପ୍ରକାଶ ଥାଉକି ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ଚାଷୀ ନେତା ଏକାଠି ହେବା ସହିତ ରାଜ୍ୟରୁ ବିଶିଷ୍ଟ କୃଷି ବିଶେଷଜ୍ଞ ଓ କୃଷକ ନେତାମାନେ ଯୋଗଦେଇଉଛନ୍ତି । ଅକ୍ଟୋବର ୧୮ତାରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଅନୁଷ୍ଠିତ ସାଧାରଣ ସଭାରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ବୈଠକରେ ନିବେଦନ କରାଯାଇଛି ।