ଓବିସି କମିଶନ ଗଠନକୁ ସ୍ୱାଗତ
ଭୁବନେଶ୍ୱର -: ବାରମ୍ବାର ନିଖିଳ ଓଡ଼ିଶା ପାଇକ ମହାସଂଘ ଓବିସି ଓ ପଛୁଆବର୍ଗ କମିଶନ ଗଠନ ପାଇଁ ଦାବି କରି ଆସୁଥିଲା । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଅଜି ଓବିସି କମିଶନ ଗଠନ କରିଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି । ଖାଲି କମିଶନ ଗଠନ କଲେ ଏହା ଫଳବତୀ ହେବ ତାହା ନୁହେଁ, ଏହାର ସବୁ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଓଡ଼ିଶା ଜନସଂଖ୍ୟାର ଶତକଡ଼ା ୫୨ ଭାଗ ପାଇକ ଗୋଷ୍ଠିର । ଇଂରେଜ ଶାସନ ସମୟରୁ ପାଇକମାନେ ନିଷ୍ପେସିତ । ଗଜପତିଙ୍କ ଦ୍ୱାରା ଦିଆଯାଇଥିବା ନିଷ୍କର ଜମି ଗଲା ପରେ, ଏମାନଙ୍କ ଅର୍ଥନୈତିକ ବିକାଶ ବର୍ତ୍ତମାନ ପର୍ଯ୍ୟନ୍ତ ଘଟିପାରି ନାହିଁ । ଅନେକ ଯୋଜନା ରାଜ୍ୟ ସରକାର କଲେ ମଧ୍ୟ ପାଇକମାନଙ୍କର ଅର୍ଥନୈତିକ ଉନ୍ନତି ପାଇଁ କୌଣସି ଯୋଜନା ନାହିଁ । ଶିକ୍ଷା ଠାରୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପାଇକମାନେ ଅବହେଳିତ । ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ‘ପାଇକ ଉନ୍ନୟନ ପରିଷଦ’ ଗଠନ କରିବା ପାଇଁ ମହାସଂଘ ଦାବି କରିଛି । ସମସ୍ତ ଖଣ୍ଡାୟତ, ପାଇକ, କ୍ଷତ୍ରୀୟମାନଙ୍କୁ ସ୍ୱତନ୍ତ୍ର ଅର୍ଥନୈତିକ ପଛୁଆବର୍ଗରେ ସାମିଲ କରି ଶିକ୍ଷା ଠାରୁ ଆରମ୍ଭ କରି ନିଯୁକ୍ତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ କରିବାକୁ ମହାସଂଘ ଦାବି କରିଛି । ଆଜି ଏହି ମର୍ମରେ ରାଜ୍ୟ ଉପଦେଷ୍ଟା ପ୍ରଫେସର ଗାୟନ ସାମଲ, ସ୍ତମ୍ଭକାର ବିଭୂତି ସ୍ୱାଇଁ, ପାଇକ ମହାରଥୀ ଭୀମସେନ ବିଶ୍ୱାଳ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, ପାଇକ ବିଶାରଦ କେଦାର ଦାସ, ଗୁରୁ ଭାସ୍କର ସୁନ୍ଦରାୟ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେର, ଅଧିବକ୍ତା ହିମାଂଶୁ ଲେଙ୍କା, ଢେଙ୍କାନାଳ ସଭାପତି ନବକିଶୋର ସାମଲ, ଜଗତସିଂହପୁର ସଭାପତି ବିଦ୍ୟାଧର ନାଏକ, ଅନୁଗୁଳ ସଭାପତି ରଞ୍ଜନ ବିଶୋଇ ପ୍ରମୁଖ ଦାବି କରିଛନ୍ତି ।


