ଓରାଳି – ଶାଳଣିଆ ରାସ୍ତାରେ ପୋଖରୀ ସଦୃଶ ଖାଲ, ପୁର୍ତ୍ତ ବିଭାଗର ଦୃଷ୍ଟି ପଡୁନି
ହାଟଡ଼ିହି, (ବିକାଶ ବିଶ୍ୱାଳ):ଓରାଳି – ଶାଳଣିଆ ରାସ୍ତାରେ ପୋଖରୀ ସଦୃଶ ଖାଲ ସୃଷ୍ଟି ହୋଇଛି। ଗତ ୨୦/୨୫ ଦିନ ତଳେ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ପକା ଯାଇ ମରାମତି କରାଯାଇଥିଲେ ବି ଖରାପ ରାସ୍ତାକୁ ମରାମତି କରା ନଯାଇ ଭଲ ଥିବା ରାସ୍ତା କୁ ମରାମତି କରା ଯାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲ୍ଲାର ଏହା ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହା ଉପରେ ଓରାଳି, କଳିଗାଁ, ଶାଳଣିଆ, ଅଁରା, ହାବଳେଶ୍ୱର, ଗେଡ଼ମା, ଡଅଁର, ଆଇତିପୁର, ଆଦି ପଞ୍ଚାୟତର ୫୦ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି। ଗତ ୫ବର୍ଷ ତଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ନିର୍ମାଣ ର କିଛି ମାସ ପରେ କିଛି ସ୍ଥାନରେ ରାସ୍ତା ଦବି ଯିବା ସହ ଆଉ କିଛି ସ୍ଥାନରେ କଂକ୍ରିଟ ରାସ୍ତା ଗୁଡିକ ଫାଟି ଆଁ କରିଥିଲା। ସବବେଶ ଠିକ ନଥିବାରୁ ପିଚୁ ରାସ୍ତା ଅନେକ ସ୍ଥାନରେ ଦବିବା ପରେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା। କିନ୍ତୁ ଯେତେ ମରାମତି କଲେ ବି ତାହା ବାରମ୍ବାର ଦବିଯାଇ ବିରାଟ ବିରାଟ ଖାଲ ଖମାରେ ପରିଣତ ହୋଇଛି। ଏବେ କଳିଗାଁ ଠାରୁ ଶାଳଣିଆ ପର୍ଯ୍ୟନ୍ତ ୫୦ରୁ ଉର୍ଦ୍ଧ ଖାଲ ସୃଷ୍ଟି ହୋଇଛି। ପୁର୍ତ୍ତ ବିଭାଗର ଅଧିକାରୀ ମାନେ ଏହାର ଅନୁଧ୍ୟାନ କରି ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।