ଦେଶୀ ମଦ ମୃତ୍ୟୁ: ଶବ ରଖି ରାଜ୍ୟ ରାଜପଥ ଅବରୋଧ
ବନ୍ତ,(ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଟିଲୋ ତେଲିସାହି ଗ୍ରାମର ଅଙ୍କୁର ପାତ୍ରଙ୍କ ଏକମାତ୍ର ପୁଅ ଜଗନ୍ନାଥ(୪୪)ଙ୍କର ଦେଶୀ ମଦ ପିଇ ମୃତ୍ୟୁ ଘଟିବା ନେଇ ଶୁକ୍ରବାର ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗୁରୁତର ଅବସ୍ଥାରେ ଗତ ୧୫ ଦିନ ଧରି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ପରେ ଶୁକ୍ରବାର ପୂର୍ବାହ୍ନ ୧୦ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଅପରାହ୍ନରେ ମୃତଦେହ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ଦେଶୀ ଚୋରା ମଦ କାରବାର ବନ୍ଦ କରିବା ସହ ସଂପୃକ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବୀରେ ତେଲିସାହି ହନୁମାନ ଛକ ନିକଟରେ ଶବ ରଖି ଭଦ୍ରକ–ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ଖବର ପାଇ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଭାଜପା ନେତା ଡ.ସୁଧାଂଶୁ ଶେଖର ନାୟକ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସମିତିସଭ୍ୟ ପ୍ରତିନିଧି ଉମେଶ ସେଠୀ, ସାମାଜିକକର୍ମୀ ଇଂ.ସୁଧାଂଶୁ ଶେଖର ନାୟକ, ଭିକି ବିଶ୍ୱାଳ ଓ ଅନିରୁଦ୍ଧ ଧଳ ପ୍ରମୁଖ ପୋଲିସ ପ୍ରଶାସନ ସହ ଆଲୋଚନା କରିଥିଲେ। ଶୋକସନ୍ତପ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଅଞ୍ଚଳରେ ଚାଲିଥିବା ଦେଶୀ ମଦ ଚୋରା କାରବାରକୁ ବନ୍ଦ କରିବା ନେଇ ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ଆନ୍ଦୋଳନରେ ଶତ୍ରୁଘ୍ନ ବିଶ୍ୱାଳ, ପପୁ ରାଜ, ସୁଦାମ ନାୟକ, ଟିକା ନାୟକ, ବିମଳା ରାଜ, ସୁଷମା ରାଜ, ଜୟନ୍ତୀ ରାଜ, ବସନ୍ତ ମଞ୍ଜରୀ ବିଶ୍ୱାଳ, ସୁକାନ୍ତି ବିଶ୍ୱାଳ, ସିତୁନୁ ସାହୁ, ରାଜା ସ୍ୱାଇଁ, ପଦ୍ମନାଭ ବରାଳ ଓ ଅଜିତ୍ ନାୟକ ପ୍ରମୁଖ ସାମିଲ ଥିଲେ। ପରେ ଶୋକାକୁଳ ପରିବେଶରେ ମୃତଦେହକୁ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମୃତକଙ୍କ ପୁଅ ଜୀବନଜିତ୍ ମୁଖାଗ୍ନି ଦେଇଥିଲେ।


