କଂଗ୍ରେସ ଇସ୍ତାହାରରେ ଗରିବ ଙ୍କ ଉପରେ ଫୋକସ୍
କଂଗ୍ରେସର ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି । ପ୍ରମୁଖ ପାଞ୍ଚଟି ପ୍ରତିଶ୍ରୁତି ନେଇ ଲୋକଙ୍କ ପାଖକୁ ଯିବ ଦଳ । ଯାହାକୁ ଆଗାମୀ ପାଞ୍ଚ ବର୍ଷରେ ପୂରଣ କରିବାକୁ ଉଦ୍ୟମ କରିବ ।ଦେଶରେ ପୁଣି ଥରେ କଂଗ୍ରେସ ସରକାର ଆସିଲେ ନ୍ୟାୟ, ରୋଜଗାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ଚାଷୀଙ୍କ ସମସ୍ୟା ଦୂର ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଥମ ପ୍ରତିଶ୍ରୁତିରେ ରହିଛି ଜଣେ ଗରିବ ଲୋକଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ଦେଇ ପାରିବ କଂଗ୍ରେସ ।
ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଆସେ ତେବେ ପ୍ରତି ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭୨ ହଜାର ଟଙ୍କା ଦେଇପାରିବ । ଅର୍ଥାତ ୫ ବର୍ଷକୁ ୩ ଲକ୍ଷ ୬୦ ହଜାର ଜମା ହେବ । ଏହି ପରିପ୍ରେକ୍ଷୀରେ ମୋଦୀଙ୍କ ନୋଟବନ୍ଦୀ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଥିଲେ ।ନୋଟବନ୍ଦୀ କରି ମୋଦୀ ଯେଉଁ ଜାମ କରିଥିଲେ ତାହାକୁ ଶେଷ କରିବାକୁ ପଡ଼ିବ । ସେହିପରି ଦ୍ୱିତୀୟରେ ରୋଜଗାର ହେଉଛି ଦେଶରେ ବଡ଼ ସମସ୍ୟା । ବର୍ଷକୁ ୨ କୋଟିଙ୍କୁ ନିଯୁକ୍ତି ମିଳିବା ନେଇ ମୋଦୀଙ୍କ ପ୍ରତିଶ୍ରୁତି ପୂରଣ ହୋଇ ନାହିଁ । ୨୦୨୦ ସୁଦ୍ଧା କଂଗ୍ରେସ ଆସିଲେ ୨୨ ଲକ୍ଷଙ୍କୁ ସରକାରୀ ନିଯୁକ୍ତି ମିଳିବ । ୧୦ ଲକ୍ଷ ଯୁବକଙ୍କୁ ପଞ୍ଚାୟତ ସ୍ତରରେ ନିଯୁକ୍ତି ମିଳିବ । ତିନି ବର୍ଷ ପାଇଁ ବ୍ୟବସାୟ କରିବାକୁ ହେଲେ କୌଣସି ଅନୁମତି ନେବାକୁ ପଡ଼ିବ ନାହିଁ । ସେହିପରି ମନରେଗାରେ ୧୦୦ ଦିନକୁ ବଢ଼ାଇ ୧୫୦ ଦିନ କରାଯିବ ।
ସେହିପରି ଚାଷୀଙ୍କ ପାଇଁବ ବଡ଼ ଘୋଷଣା ହୋଇଛି । ଯଦି ଚାଷୀ ଋଣ ପରିଶୋଧ କରି ପାରିବେ ନାହିଁ ତାଙ୍କ ନାଁରେ ଆଉ ଅପରାଧିକ ମାମଲା ରୁଜୁ ହେବ ନାହିଁ । ଘରୋଇ ମାମଲା ରୁଜୁ ହେବ । ଜିଡ଼ିପିର ୬ ପ୍ରତିଶତ ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଦିଆଯିବ । ଗରିବଙ୍କୁ ସବୁଠାରୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏହି ଅବସରରେ ରାହୁଲ କହିଛନ୍ତି ଯେ କଂଗ୍ରେସ ଦେଶକୁ ଯୋଡ଼ିବାକୁ କାମ କରିବ । ଜାତୀୟ ଓ ଅନ୍ତର୍ଜାତୀୟ ପଲିସି ଉପରେ ଆମର ଅଧିକ ଗୁରୁତ୍ୱ ରହିବ ।


