କଟକଣା ଶୂନ୍ୟ ସଙ୍ଗରୋଧ କେନ୍ଦ୍ର : ଅନ୍ତେବାସୀଙ୍କୁ ଭେଟୁଛନ୍ତି ସର୍ମ୍ପକୀୟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ଦେଶରେ ମୃତ୍ୟୁ ହାର ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଓଡ଼ିଶା ରାଜ୍ୟର ବହୁ ଲୋକେ କାର୍ଯ୍ୟ କରିବା ସକାଶେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସମେତ ଗୁଜୁରାଟର ସୁରଥ, ମହାରାଷ୍ଟ୍ରର ମୁମ୍ବାଇ, ପଶ୍ଚିମବଙ୍ଗର କଲିକତା, କେରଳ, ଚେନ୍ନାଇ ପ୍ରଭୃତି ରାଜ୍ୟକୁ ଯାଇଥାନ୍ତି । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ବହୁ ଲୋକେ ବର୍ତମାନ ସମୟରେ ନିଜ ନିଜ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । ଫେରନ୍ତା ପ୍ରବାସୀ ନିଜ ନିଜ ଭିଟାମାଟିରେ ପଂହଚିବା ପରେ ପ୍ରଶସନ ପକ୍ଷରୁ ପ୍ରବାସୀ ଫେରନ୍ତାଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ୨୧ ଦିନ ସକାଶେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସେମାନେ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତ କି ନୁହନ୍ତି ସେ, ନେଇ ପରୀକ୍ଷା କରାଯାଉଛି । କରୋନା ପୋଜିଟିଭ ଜଣାପଡ଼ିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ସକାଶେ କୋଭିଡ଼-୧୯ ହସପିଟାଲରେ ଭର୍ତି କରାଯାଉଛି । ନେଗେଟିଭ ଜଣାପଡ଼ିଲେ ଆଉ ୭ ଦିନ ହୋମ କ୍ୱରେଂଟାଇନରେ ରହିବା ସକାଶେ ସରକାରୀ ନିର୍ଦ୍ଦେଶନାମା ରହିଛି । ସୁରଥ ଅଂଚଳରୁ ପ୍ରବାସୀ ଗଞ୍ଜାମ ଜିଲ୍ଲାରେ ପଂହଚିବା ପରେ ଗ୍ରୀନ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ରେଡ଼୍ ଜୋନ ଭାବେ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକକୁ ୭ ହଜାର ୨ଶହ ପ୍ରବାସୀ ଫେରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସ୍ଥାନୀୟ ବ୍ଳକର ୬୮ଟି ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି । ସେହିପରି ସ୍ଥାନୀୟ ପୌରାଂଚଳକୁ ୬୮୨ ପ୍ରବାସୀ ଫେରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସ୍ଥାନୀୟ ପୌରାଂଚଳରେ ୬୮ଟି ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି । ଉକ୍ତ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ବହୁ ପ୍ରବାସୀ ଗତ କିଛି ଦିନ ଧରି ରହି ଆସୁଛନ୍ତି । ଅନ୍ତେବାସୀଙ୍କୁ ସାକ୍ଷାତ କରିବା ଲାଗି ସଙ୍ଗରୋଧ କେନ୍ଦ୍ର ସମ୍ମୁଖରେ ସର୍ମ୍ପକୀୟଙ୍କ ଭିଡ଼ ଜମୁଛି । ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ୧୪୪ ଧାରା ଜାରୀ କରିଛନ୍ତି । ଏପରିକି ପ୍ରବାସୀଙ୍କୁ ବାହାରକୁ ଯିବା ଉପରେ ମଧ୍ୟ କଟକଣା ଜାରୀ କରାଯାଇଛି । ହେଲେ ସ୍ଥାନୀୟ ବ୍ଳକ ବୁରୁପୋଡ଼ା ଭଗବତୀ ବିଦ୍ୟାପିଠରେ ଆୟୋଜିତ ସଙ୍ଗରୋଧ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀଙ୍କ ସର୍ମ୍ପକୀୟ ମାନେ କେନ୍ଦ୍ରର ପଛପଟୁ ଆସି ପ୍ରବାସୀଙ୍କ ସହ ସାକ୍ଷାତ କରିବା ସହ ବାହାରୁ ଆଣିଥିବା ଖାଦ୍ୟ ପଦାର୍ଥ, ପାନ, ବିଡ଼ି, ସିଗାରେଟ, ଖଇନି, ଗୁଡ଼ାଖୁ ଇତ୍ୟାଦି ଦେଇ ଫେରୁଥିବା ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଅନୁରୂପ ଭାବେ ସ୍ଥାନୀୟ ବ୍ଳକ ପୁଟିଆପର, ରାଳବ, ଶାସନ ଆମ୍ବଗାଁ, ସିକିର ଗ୍ରାମର ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ମଧ୍ୟ ଏଭଳି ଅବସ୍ଥା ଚାଲୁଥିବା ଜଣାପଡ଼ିଛି । ଏ ଦିଗରେ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ ନକଲେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।


