କରୋନା ଆକ୍ରାନ୍ତ ହେବାର ୩୦ ଦିନ ଭିତରେ ମୃତ୍ୟୁକୁ ‘କୋଭିଡ୍ ମୃତ୍ୟୁ’ ଭାବେ ମାନି ନିଆଯିବ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): କରୋନା ଦ୍ୱାରା ଆକ୍ରାନ୍ତ ହେବାର ୩୦ ଦିନ ମଧ୍ୟରେ ଘଟିଥିବା ମୃତ୍ୟୁକୁ ‘କୋଭିଡ୍ ମୃତ୍ୟୁ’ ବିବେଚନା କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। କରୋନରେ ମୃତ୍ୟୁ ପାଇଁ ସରାକରୀ କାଗଜପତ୍ର ପ୍ରସ୍ତୁତି କରିବା ଲାଗି ସେପ୍ଟେମ୍ବର ୩ ତାରିଖ ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ ମିଳିତ ଭାବେ ନୂଆ ମାର୍ଗଦର୍ଶିକା ଜାରି କରିଥିବା କଥା କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇଛନ୍ତି। ନୂତନ ମାର୍ଗଦର୍ଶିକା ଅନୁସାରେ, କୋଭିଡ୍-୧୯ ପରୀକ୍ଷାରେ ପଜିଟିଭ୍ ଜଣାପଡ଼ିବାର ୩୦ ଦିନ ମଧ୍ୟରେ କୌଣସି ଡାକ୍ତରଖାନା କିଂବା ‘ଇନ୍-ପେସେଣ୍ଟ୍ ଫେସିଲିଟି’ରେ ଘଟୁଥିବା ମୃତ୍ୟୁକୁ ‘କୋଭିଡ୍-୧୯ ହେତୁ ମୃତ୍ୟୁ’ ବୋଲି ବିବେଚନା କରାଯିବ। ଏହାଛଡ଼ା, ୩୦ରୁ ଅଧିକ ଦିନ ଧରି କୌଣସି ଡାକ୍ତରଖାନା କିଂବା ‘ଇନ୍-ପେସେଣ୍ଟ୍ ଫେସିଲିଟି’ରେ ଭର୍ତ୍ତି ହୋଇଥିବା କୌଣସି କୋଭିଡ୍-୧୯ ରୋଗୀଙ୍କର ପରେ ପରେ ସେଠାରେ ମୃତ୍ୟୁ ଘଟିଲେ ବି ତାହାକୁ କୋଭିଡ୍-୧୯ଜନିତ ମୃତ୍ୟୁ ବୋଲି ଧରାଯିବ। କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ, କୋଭିଡ୍ ଆକ୍ରାନ୍ତ ଥାଇ ମଧ୍ୟ ବିଷକ୍ରିୟା, ଆତ୍ମହତ୍ୟା, ହତ୍ୟା ଓ ଦୁର୍ଘଟଣା ଆଦିରେ ଘଟିଥିବା ମୃତ୍ୟୁକୁ ‘କୋଭିଡ୍ ମୃତ୍ୟୁ’ ଭାବେ ପରିଗଣିତ କରାଯିବ ନାହିଁ।’ମେଡିକାଲ୍ ସାର୍ଟିଫିକେଟ୍ ଅଫ୍ କଜ୍ ଅଫ୍ ଡେଥ୍’ (ଏମ୍ସିସିଡି)ରେ ଦର୍ଶାଯାଇଥିବା ମୃତ୍ୟୁର କାରଣରେ ଯଦି କୌଣସି ପରିବାର ସନ୍ତୁଷ୍ଟ ନ ହୁଅନ୍ତି ଏବଂ ତାହା ଉପରୋକ୍ତ କୌଣସି ବର୍ଗଭୁକ୍ତ ନ ହୋଇ ଥାଏ, ସେ କ୍ଷେତ୍ରରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇ ମୃତ୍ୟୁର କାରଣ ନିର୍ଦ୍ଧାରଣ କରାଯିବ।


