କରୋନା ଭୟ : ଖାଦ୍ୟ ଓ ଔଷଧ ବ୍ୟତୀତ ଇଟାଲୀରେ ସବୁ ଦୋକାନ ବନ୍ଦ

ରୋମ୍‌: ଚୀନ୍‌ ପରେ ଇଟାଲୀ ବିଶ୍ବର ସବୁଠାରୁ ଅଧିକ କରୋନା ପ୍ରଭାବିତ ଦେଶ ଭାବେ ସାମ୍‌ନାକୁ ଆସିଥିବା ବେଳେ ଏହି ଘାତକ ଭୂତାଣୁର ବ୍ୟାପକତାକୁ ରୋକିବା ସକାଶେ ଏଠାରେ କଡ଼ା ପଦକ୍ଷେପ ନିଆଯାଇଛି। ବୁଧବାର ଦେଶର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରିବା ସକାଶେ ଘୋଷଣା କରାଯାଇଛି। ଅବଶ୍ୟ ଖାଦ୍ୟଦ୍ରବ୍ୟ ଓ ଔଷଧ ପରି ଜରୁରୀକାଳୀନ ସାମଗ୍ରୀର ବ୍ୟବସାୟ କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି। ଦେଶରେ ୮୨୭ ଜଣ ଲୋକ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିସାରିଥିବାରୁ ପ୍ରଧାନମନ୍ତ୍ରୀ ଗୁସେପ୍‌ କୋଣ୍ଟେ ଏପରି ଘୋଷଣା କରିଛନ୍ତି। ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେବା ବେଳେ କୋଣ୍ଟେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଦେଶର ୬୦ ନିୟୁତ ଜନତା ସବୁଠାରୁ ବଡ଼ ଚାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରଖିବା ଦ୍ବାରା କରୋନାର ବ୍ୟାପକତାକୁ ହ୍ରାସ କରାଯାଇପାରିବ ବୋଲି ଚିନ୍ତା କରାଯାଉଛି। ତେଣୁ ଏଥିରେ ସହଯୋଗ କରୁଥିବା ଇଟାଲୀୟମାନଙ୍କୁ ସେମାନଙ୍କ ତ୍ୟାଗ ସକାଶେ ପ୍ରଧାନମନ୍ତ୍ରୀ କୋଣ୍ଟେ ଧନ୍ୟବାଦ ଦେଇଛନ୍ତି। ଦେଶରେ କରୋନାର ବ୍ୟାପକତା ଅତି ଉଦ୍‌ବେଗଜନକ ଭାବେ ବଢ଼ିଚାଲିଥିବାରୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଇଛି। ଯାତ୍ରା ଉପରେ ସରକାର କଟକଣା ଲଗାଇଥିବାରୁ ଏପରି ଦୃଶ୍ୟ ଦୃଷ୍ଟିଗୋଚର ହେଉଛି। କରୋନା ଭୂତାଣୁର ବ୍ୟାପକତାକୁ ରୋକିବା ସକାଶେ ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀମାନେ ମାସ୍କ ପିନ୍ଧି ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ସିଞ୍ଚନ କରୁଛନ୍ତି। ରାଜଧାନୀ ରୋମ୍‌ରେ ସବୁବେଳେ ଗହଳିଚହଳି ଲାଗିରହୁଥିଲେ ହେଁ ଏହା ଏହା ମରୁଭୂମି ସ୍ବରୂପ ପରିଲକ୍ଷିତ ହେଉଛି ବୋଲି ୩୦ ବର୍ଷୀୟ ମୁସ୍କୋଭିତ୍‌ ୟେକାତେରିନା କହିବା ସହ ସେ ରୋମ୍‌କୁ ଚିହ୍ନିପାରୁ ନ ଥିବା କହିଛନ୍ତି। ତେବେ ସମସ୍ତ ଦୋକାନ ବଜାର ବନ୍ଦ ସଂକ୍ରାନ୍ତ ନିଷ୍ପତ୍ତି ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ କୋଣ୍ଟେ କହିଛନ୍ତି। ତାଙ୍କ କହିବାନୁସାରେ, ବାର୍‌, ପବ୍‌, ରେସ୍ତୋରାଁ, ହେୟାର୍‌ଡ୍ରେସେସ୍‌ ଓ କ୍ୟାଣ୍ଟିନ୍‌ ସର୍ଭିସ୍‌ ଆଦି ବନ୍ଦ ରହିବ। କିନ୍ତୁ ହୋମ୍‌ ଡେଲିଭରି ଜାରି ରହିବ ବୋଲି କୋଣ୍ଟେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଇଟାଲୀରେ କୋରୋନା ଭାଇରସ୍‌ ଦ୍ବାରା ପ୍ରଭାବିତ ଲୋକଙ୍କ ଚିକିତ୍ସା ଓ ସଚେତନତା ଆଦି ସୃଷ୍ଟି ପାଇଁ ସରକାର ୨୫ ବିଲିୟନ୍‌ ୟୁରୋ ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ