କରୋନା ମହାମାରୀକୁ ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ଅଭିନବ ପ୍ରୟାସ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲାରେ କରୋନା ମହାମାରୀକୁ ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ୍‌-୧୯ ସଖୀ କାର୍ଯ୍ୟକ୍ରମ । ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଛକ ସ୍ଥିତ କଲ୍ୟାମଣମଣ୍ଡପ ଠାରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଲାର ଥିବା ୩୦ ହଜାର ସକ୍ରିୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନଙ୍କୁ ନେଇ ତୃଣମୂଳସ୍ତରରେ ସଖୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ କୋଭିଡ୍ ସଂପର୍କରେ ସଚେତନତା କରିବେ । ଜିଲ୍ଲାରେ ମିସନ୍ କୋଭିଡ୍ ଜିରୋକୁ ସଫଳ କରିବା ଲାଗି ଏହି ନୂଆ ଅଭିଯାନ ଆରମ୍ଭ କରାଯାଇଛି । ଏହି ସ୍ୱୟଂ ସହାୟିକା ଗୋଷ୍ଠୀମାନେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଗୋଷ୍ଠୀ ଲୋକଙ୍କ ସହିତ ସଂପୂର୍ଣ୍ଣ ରୂପେ ଜଡିତ । ଏମାନଙ୍କର ଗ୍ରାମାଞ୍ଚଳରେ ସାମାଜିକ ଏବଂ ରାଜନୈତିକ ନିର୍ଣ୍ଣୟ ନେବାରେ ବହୁତ ପ୍ରଭାବ ପକାଇଥାଏ । ଜିଲ୍ଲା ପ୍ରଶାସନ ତରଫରୁ ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କରୁ ଜଣେ ଲେଖାଁଏ ସଖୀ ଚୟନ କରାଯିବ ଯିଏକି ଅନ୍ୟ ସଭ୍ୟାଙ୍କୁ ଓ ଗୋଷ୍ଠୀର ସମସ୍ତ ଲୋକଙ୍କୁ କରୋନା ବିଷୟରେ ସଠିକ୍ ଜ୍ଞାନ ଦେଇ ଏହାକୁ କିଭଳି ଏହି ଅଞ୍ଚଳରେ ନିୟନ୍ତ୍ରଣ କରାଯିବ ଏହି ବିଷୟରେ ସଚେତନ କରାଯିବ । ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭ୍ୟାମାନେ ସମୟାନୁକ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ଯଥା-ସ୍ୱୟଂସିଦ୍ଧା, ନିର୍ଭୟ କଢି, ପଲିଥିନ୍ ମୁକ୍ତ ପରିବେଶରେ ଭାଗ ନେଇ ସଫଳ ରୂପାୟନ କରିପାରିଛନ୍ତି । ଏହି ସଖୀ କାର୍ଯ୍ୟକ୍ରମ ମାଧ୍ୟମରେ କରୋନାକୁ କିଭଳି ନିୟନ୍ତ୍ରଣାଧୀନ କରାଯାଇପାରିବ । ଏହି ସଭ୍ୟାମାନେ ଏହାକୁ ଫଳପ୍ରଦ କରିପାରିବେ । ଏଥିସହ ଜିଲ୍ଲାରେ କୋଭିଡ୍ ସଖୀ ପ୍ରଶିକ୍ଷଣ ପୁସ୍ତିକା ଖୁବ୍ ଶୀଘ୍ର ଉନ୍ମୋଚନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନରୋମା ରେଡ୍ଡୀ ଅଧ୍ୟକ୍ଷତା କରିଥିବା ବେଳେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଆର୍‌.ଜଗଦୀଶ ରେଡ୍ଡୀ, ସମଗ୍ର ଶିକ୍ଷା ଅଭିଯାନର ଡିପିସି ବିନିତା ସେନାପତି, ଚମାଖଣ୍ଡି ସରପଞ୍ଚ ସୁସ୍ମିତା କୁମାରୀ ପ୍ରଧାନ, ମିସନ୍ ଶକ୍ତିର ଜିଲ୍ଲା ସଂଯୋଜକ ଶ୍ୱାଶତ କୁମାର ସାହୁ, ଓଡିଶା ଜୀବିକା ମିସନ୍‌ର ବ୍ଲକ ସଂଯୋଜିକା ମାନିନୀ ଜେନା, ଜିଲ୍ଲା ପ୍ରୋଗ୍ରାମର ଅରୁଣ କୁମାର ନାୟକ, ବାଲ୍ୟ ବିବାହ ନିରାକରଣର ଡିପିସି ଦେବବ୍ରତ ମାହୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ୍ ସଖୀମାନଙ୍କୁ କୋଭିଡ୍ ନିୟନ୍ତ୍ରଣ ସଂପର୍କରେ ଆଜି ପ୍ରଶିକ୍ଷକ ବିଭୂଦତ୍ତ ଶତପଥୀ ଓ ସୁନୀଲ କୁମାର ଶତପଥୀ ପ୍ରଶିକ୍ଷଣ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ