କରୋନା ମାଡ଼:ଫିକା ପଡ଼ିଲା ମେରୁ ପର୍ବ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣ ଭୟାବହାତାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଏହାର ପ୍ରଭାବରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ସମସ୍ତ ଦେବାଳୟ ଗୁଡ଼ିକରେ ତାଲା ଝୁଲୁଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଂଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଉପରେ ରୋକ ଲଗାଯାଇଥିବା ବେଳେ ଦଣ୍ଡଯାତ୍ରାର ଉଦଯାପନି ଉତ୍ସବ ତଥା ମେରୁପର୍ବ ଉପରେ ମଧ୍ୟ ସୋମାବାର ରୋକ୍ ଲଗାଯାଇଛି । ଯାହା ଫଳରେ ମେରୁପର୍ବ ସମ୍ପୁର୍ଣ୍ଣ ଫିକା ପଡ଼ିଯାଇଛି । ହିଂଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକ ବୁରୁପୋଡ଼ା, ରାଳବ, ପୋଚିଲିମା, ଆଲପୁର, ଖଣ୍ଡରା, ସମରଝୋଳ ପ୍ରମୁଖ ଗ୍ରାମାଂଚଳରେ ସେମାବାର ଅନୁଷ୍ଠିତ ହେବାକୁ ଥିବା ମେରୁପର୍ବ ସମ୍ପୁର୍ଣ୍ଣ ଫିକା ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୨୧ ଦିନ ଧରି ମାତ୍ର ୩ଜଣ ଦଣ୍ଡୁଆ ଦଣ୍ଡକାଳୀ ମନ୍ଦିରରେ ରହି ବ୍ରତ ପାଳନ କରିବା ସହ ଆଜି ଭୋର ୪ଟା ବେଳେ ମନ୍ଦିର ଦ୍ୱାର ଫିଟାଯାଇ ଆବଶ୍ୟକ ନୀତିକାନ୍ତି, ହୋମଯଜ୍ଞ ସମ୍ପାଦିତ ହୋଇଥିବା ବେଳେ ମେରୁଖମ୍ବ ଉଠିନଥିବା ବେଳେ ମନ୍ଦିର ମଧ୍ୟକୁ କୌଣସି ଭକ୍ତଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯାଇନଥିଲା । ତହସିଲଦାର ଗୋପିନାଥ କୁଅଁର, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସମେତ ପୁଲିସ ପ୍ରଶାସନ ସୋମବାର ଭୋର ୩ଟାରୁ ଅଂଚଳର ବିଭିନ୍ନ ଦଣ୍ଡକାଳୀ ମନ୍ଦିର ପରିସରରେ ଡ଼େରା ପକାଇଥିଲେ । ମନ୍ଦିର ମଧ୍ୟକୁ କୌଣସି ଭକ୍ତଙ୍କୁ ପ୍ରବେଶ କରିବାକୁ ଦିଆଯାଇନଥିବା ବେଳେ କିଛି ଅମାନିଆ ଭକ୍ତ ଜୋର ଜବରଦସ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳ ପୁଲିସର ଲାଠିମାଡ଼ ଖାଇଥିଲେ । କିଛି ସମୟ ପାଇଁ ମନ୍ଦିର ପରିସରରୁ ପୁଲିସ ବାହୀନି ଛାଡ଼ି ଯାଇଥିବା ବେଳେ ବହୁ ଭକ୍ତ ମନ୍ଦିର ନିକଟକୁ ଯାଇ ନିଜେ ନିଜେ ନଡ଼ିଆ ଭାଙ୍ଗିବା ସହ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ