କରୋନା ମୁକାବିଲା ପାଇଁ ସଂଚିତ ଅର୍ଥ ଦାନ କଲେ ଛାତ୍ର
ଚମ୍ପୁଆ : ମହାମାରୀ କରୋନାର ମୁକାବିଲା ପାଇଁ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ରାଜ୍ୟ ସରକାରଙ୍କୁ ଆର୍ôଥକ ସହାୟତା ପ୍ରଦାନ କରୁଥିବାବେଳେ ଚମ୍ପୁଆ ସଦର ମହକୁମାସ୍ଥ କେରଳ ଇଂଲିଶ ମିଡିୟମ୍ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ସ୍ୱୟାଂଶୁ ଖିଲାର ସହଯୋଗର ହାତ ବଢାଇଛନ୍ତି । ଗତ ୩ ତାରିଖ ଅପରାହ୍ନରେ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟକୁ ସାକ୍ଷାତ କରି କରୋନା ମୁକାବିଲା ପାଇଁ ନିଜର ସଂଚିତ ଅର୍ଥ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଦୈନନ୍ଦିନ ପକେଟ୍ ମନି ଅର୍ଥରୁ ସଂଚୟ କରିଥିବା ଉକ୍ତ ଅର୍ଥ ରାଶିକୁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ପ୍ରଦାନ କରିଥିଲେ । ବର୍ତମାନ ସମଗ୍ର ବିଶ୍ୱ ମହାମାରୀ କରୋନାର ମୁକାବିଲା କରୁଥିବାବେଳେ ସମସ୍ତେ ନିଜ ନିଜ ଘରେ ରହି ଏହି କରୋନା ବିରୋଧି ଲଢେଇରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ସହଯୋଗ କରିବାକୁ ଛାତ୍ର ସ୍ୱୟାଂଶୁ ଉପଜିଲ୍ଲାପାଳଙ୍କ ଜରିଆରେ ନିବେଦନ କରିଛନ୍ତି । ସେ ଯେଉଁ ଅର୍ଥ ରାଶି ପ୍ରଦାନ କରିଛନ୍ତି ତାହା ଗରିବ, ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଉପଜିଲ୍ଲାପାଳ ଶ୍ରୀ ପ୍ରୀତିମୟ ଏତାଦୃଶ ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଛନ୍ତି । ବାସ୍ତବରେ ଏଭଳି କଠିନ ସମୟରେ କରୋନା ବିରୋଧି ଲଢେଇରେ ଜଣେ ଛାତ୍ରର ସକରାତ୍ମକ ମାନସିକତା ପ୍ରେରଣାର ଉତ୍ସ ସାଜିଛି ବୋଲି ଉପଜିଲ୍ଲାପାଳ ମତପ୍ରକାଶ କରିଛନ୍ତି । ଉପଜିଲ୍ଲାପାଳଙ୍କ ସମେତ ସ୍ୱୟାଂଶୁଙ୍କ ପିତା ସତ୍ୟାନନ୍ଦ ଖିଲାର ସେଠାରେ ଉପସ୍ଥିତ ଥିଲେ ।


