କରୋନା ଯୋଦ୍ଧାଙ୍କୁ ସମ୍ମାନ ଉଦ୍ଦେଶ୍ୟରେ “ବନ୍ଦେ ଉତ୍କଳ ଜନନୀ” ଗାନ ନିମନ୍ତେ ନିବେଦନ
ବାଲେଶ୍ୱର (ସରୋଜ ପଣ୍ଡା) : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ କରୋନା ବିରୁଦ୍ଧରେ ସଂଗ୍ରାମ ଉଦ୍ଦେଶ୍ୟରେ ଆସନ୍ତା ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ଘ୫.୩୦ମି ସମୟରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରିବାକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ପରିପ୍ରେକ୍ଷୀରେ ସ୍ଥାନୀୟ ସଦଭାବନା ସଭାଗୃହରେ ଆଜି ପୂର୍ବାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ବୈଠକରେ ଅଧ୍ୟକ୍ଷତା କରି କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା କାଲି ଘ୫.୩୦ମି ସମୟରେ “ବନ୍ଦେ ଉତ୍କଳ ଜନନୀ” ଗାନ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଜିଲ୍ଲାର ସମସ୍ତ ପଂଚାୟତ, ବ୍ଲକ ଓ ସହରାଂଚଳରେ ଏହା ଯେପରି ଗାନ କରାଯାଇପାରିବ ସେଥିପାଇଁ ସଚେତନତା ସୃୃଷ୍ଟି କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ଜନସାଧାରଣ, ସରକାରୀ, ବେସରକାରୀ ଅନୁଷ୍ଠାନ, ଶିଳ୍ପ, ବାଣିଜ୍ୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ,ସ୍ୱେଚ୍ଛାସେବୀ, ସମାଜସେବୀ ଅନୁଷ୍ଠାନର ସଦସ୍ୟ-ସଦସ୍ୟାମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ମାସ୍କ ପିନ୍ଧି ଏହି ସଙ୍ଗୀତ ଗାନ କରିବାକୁ ଅନୁରୋଧ କରାଯାଇଛି । ଠିକ ସନ୍ଧ୍ୟା ଘ୫.୩୦ମି ସମୟରେ ଯିଏ ଯେଉଁଠାରେ ଅଛନ୍ତି ସେହିଠାରେ ରହି “ବନ୍ଦେ ଉତ୍କଳ ଜନନୀ” ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଉତ୍ସାହିତ କରିବେ । ଏଥି ସହିତ ସଙ୍ଗୀତ ଗାନ ସମୟର ଭିଜୁଆଲ ନିଜ ମୋବାଇଲ ବା କ୍ୟାମେରାରେ ରେକର୍ଡିଂ କରି ଜିଲ୍ଲା ପ୍ରଶାସନର ଅବଗତି ନିମନ୍ତେ ହ୍ୱାଟସ୍ଆପ ନମ୍ବର ୭୯୭୮୬ ୯୪୦୪୬ ମାଧ୍ୟମରେ ପଠାଇପାରିବେ । ଆଜିର ବୈଠକର ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ଏପିଡି ପ୍ରକାଶ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ, ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ ସାହୁଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସଙ୍ଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ ।


