କରୋନା ସଚେତନତାକୁ ନେଇ ପିପୁଲ୍ସ ଫର୍ ଦି ପବ୍ଲିକ୍‌ର ସାଧାରଣ ବୈଠକ

ବ୍ରହ୍ମପୁର : ସାଧାରଣ ଜନତା ତଥା ଗରିବ, ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କ ସମସ୍ୟା ପାଇଁ ଲଢ଼ୁଥିବା ପିଫୁଲ୍ସ ଫର୍ ଦି ପବ୍ଲିକ୍ ସଂଗଠନର ଆଜି ଦ୍ୱିତୀୟ ସାଧାରଣ ବୈଠକ ବାବାଜି ତୋଟା ସାହି ସ୍ଥିତ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସାମାଜିକ ଦୂରତା ରକ୍ଷା କରାଯାଇ ଅନୁଷ୍ଠିତ ହୋଇଥିଲା । ପୂର୍ବ ବୈଠକରେ ସହରରେ କରୋନା ସମସ୍ୟା ସଂପର୍କରେ ଆଲୋଚନା କରାଯାଇ ପ୍ରଶାସନକୁ ଏକ ତିନିସୂତ୍ରୀ ସମାଧାନ ପନ୍ଥା ନେଇ ମହାନଗର ନିଗମ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ବିଷୟରେ ଆଲୋଚନା ହେବା ସହ ସଦସ୍ୟମାନଙ୍କ ତରଫରୁ ଆଗତ ପ୍ରସ୍ତାବମାନ ଆଲୋଚନା ହୋଇଥିଲା । ପୂର୍ବ ବୈଠକ ତିନିସୂତ୍ରୀ ଦାବି ଯଥା ଦୋକାନୀମାନଙ୍କ କୋଭିଡ଼୍ ଟେଷ୍ଟ, ସଟ୍‌ଡ଼ାଉନ୍ ନ କରିବା, ଚାଷୀମାନଙ୍କ ଶସ୍ୟ ନଷ୍ଟ ନ କରିବା ବିଷୟରେ ଗଂଜାମ ଜିଲ୍ଲା ପ୍ରଶାସନ ଗୋଟିଏ ପ୍ରସ୍ତାବକୁ ଆଦୃତ କରିଥିବାବେଳେ ଅନ୍ୟ ଦୁଇଗୋଟି ବିଷୟ ଗ୍ରହଣ କରିଛନ୍ତି । ଆଜିର ବୈଠକରେ ବିଭିନ୍ନ ନୂତନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା ହୋଇଥିଲା । ମେଡ଼ିକାଲ୍‌ରେ ଅକ୍ସିଜେନ୍ ଅଭାବରେ ରୋଗୀର ମୃତ୍ୟୁ, କୋଭିଡ଼୍ ରୋଗୀମାନଙ୍କୁ ପୋଜିଟିଭ୍ ଓ ନେଗେଟିଭ୍ ପ୍ରମାଣପତ୍ର ପ୍ରଦାନ କରିବା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଆମ ପୋଲିସ୍ ଅଭିଯାନକୁ ତ୍ୱରାନ୍ୱିତ କରିବା, ସହରାଞ୍ଚଳରେ ପଜିଟିଭ୍ ପରିବାର ରହୁଥିବା ଘର ଏବଂ ସାହିକୁ ବିଶୋଧନ, ପରୀକ୍ଷାଗାର ବ୍ରହ୍ମପୁରରେ ସ୍ଥାପନ, ଘର ସଂଗରୋଧରେ ରହୁଥିବା ରୋଗୀ ଏବଂ ତା’ ପରିବାରକୁ ଔଷଧ ବଣ୍ଟନ ଏବଂ ପରାମର୍ଶ, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା, ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ୱାର୍ଡ଼ କମିଟିକୁ ତ୍ୱରାନ୍ୱିତ କରିବା, ସଂଗଠନ ଦ୍ୱାରା ଦ୍ୱାର ପ୍ରସ୍ତୁତ ସଚେତନ କାର୍ଯ୍ୟକ୍ରମ ଅନ୍ତର୍ଗତ ସହରର ବିଭିନ୍ନ ସ୍ଥାନରେ ବେନର ଲଗାଇବା ପାଇଁ ମହାନଗର ନିଗମ ଠାରୁ ଅନୁମତି, ସମାଜ ଭିତରେ ସମସ୍ତଙ୍କ ମାନସିକତାରେ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଏକ ଯୁବ ସଚେତନତା ଟିମ୍ ଗଠନ କରିବା ଓ ସେମାନଙ୍କୁ ଟ୍ରେନିଂ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବା ପ୍ରମୁଖ । ସଦସ୍ୟମାନଙ୍କ ଅନୁମତିରେ ଏହି ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଥିଲା । ସଂଗଠନର ସଭାପତି ରୂପେ ଡ. ସୁବ୍ରତ କୁମାର ସାହୁ, ସଂପାଦକ ରୂପେ ସତୀଶ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରୂପେ ତ୍ରୀପତି ପ୍ରସାଦ ସାହୁ, ଉପସଭାପତି ରୂପେ ସନତ କୁମାର ପଣ୍ଡା ଓ ଗୌରାଙ୍ଗ ଚୌଧୁରୀ, ମିଡ଼ିଆ ସେଲ୍ ରୂପେ ବିଶ୍ୱନାଥ ମାରଣା, ୟୁଥ୍ ସେଲ୍ ପ୍ରଦୀପ କୁମାର ସାହୁ, ଡି. ସନ୍ତୋଷ କୁମାର ଦାସ, ପି. କୁନା ସେନାପତି ଓ ଲୁନା ପରିଡ଼ା ଏବଂ ଉପଦେଷ୍ଟା ରୂପେ ଲୋକନାଥ ମିଶ୍ର ଓ ଇଂ. ଭାସ୍କର ବେହେରାଙ୍କୁ ଦାୟିତ୍ୱ ନିର୍ବାହ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ଅବସରରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ