କଶ୍ମୀରର ବିଶ୍ବ ପ୍ରସିଦ୍ଧ ତୁଲିପ୍ ଫେଷ୍ଟିଭାଲ
ଏବେ ଋତୁ ପରିବର୍ତ୍ତନ ହେଉଛି। ସବୁଆଡ଼େ ସୁନ୍ଦର ଓ ରଙ୍ଗ ବେରଙ୍ଗର ଫୁଲ ଫୁଟୁଥିବା ଦେଖିବାକୁ ମିଳୁଛି। ଯଦି ଆପଣ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରେମୀ ହୋଇଥାନ୍ତି, ତେବେ ଆପଣ ଶ୍ରୀନଗରର ଇନ୍ଦିରା ଗାନ୍ଧି ମେମୋରିଆଲ ଗାର୍ଡେନ୍ ଯାଇ ମଜା ଉଠାଇବା ଉଚିତ। ଏଠାରେ ପ୍ରତ୍ୟେକ ବର୍ଷ ୧ ମାସ ପାଇଁ ତୁଲିପ୍ ଫେଷ୍ଟିଭାଲର ଆୟୋଜନ କରାଯାଏ। ଏହି ଫେଷ୍ଟିଭାଲରେ ତୁଲିପ୍ ଫୁଲର ଅଗଣିତ ପ୍ରଜାତି ଦେଖିବାକୁ ମିଳିଥାଏ। ଜାଣନ୍ତୁ ଏହି ଫେଷ୍ଟିଭାଲ ସମ୍ପର୍କରେ ଓ ଏହାର ମଜା ନିଅନ୍ତୁ।
କେବେ ଆରମ୍ଭ ହୋଇଥିଲା ତୁଲିପ୍ ଗାର୍ଡେନ୍?
ଏହି ବଗିଚାର ନାମ ଇନ୍ଦିରା ଗାନ୍ଧି ତୁଲିପ ଗାର୍ଡେନ୍ ଅଟେ, ଯାହା ୨୦୦୭ରେ ଶ୍ରୀନଗର ଡାଲ୍ ହ୍ରଦ କୂଳରେ ନିର୍ମିତ ହୋଇଛି। ଏହା ୯୦ ହେକ୍ଟର କ୍ଷେତ୍ରଫଳ ସ୍ଥାନରେ ଅବସ୍ଥିତ। ଦେଖିବାକୁ ବହୁତ ଆକର୍ଷକ ଓ ସୁନ୍ଦର ହୋଇଥିବାରୁ ଏଠାକୁ ପର୍ଯ୍ୟଟକ ବାରମ୍ବାର ଆସିବାକୁ ଇଚ୍ଛା କରିଥାନ୍ତି। ଏହା ଶ୍ରୀନଗରର ସବୁଠାରୁ ଲୋକପ୍ରିୟ ବଗିଚା ଅଟେ, ଯେଉଁଠି ୭୦ରୁ ଊର୍ଦ୍ଧ୍ବ ପ୍ରଜାତିର ତୁଲିପ୍ ଫୁଲ ଦେଖିବାକୁ ମିଳିଥାଏ। ଏହି ଫୁଲର ମହୋତ୍ସବରେ ଏହି ବଗିଚାରେ ପାଖାପାଖି ୧୩ ଲକ୍ଷ ତୁଲିପ୍ ବଲ୍ବ ଏକା ସହିତ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ।
କ’ଣ ରହିଛି ବିଶେଷତ୍ବ
ଏଠାରେ ଦେଖିବାକୁ ମିଳୁଥିବା ରଙ୍ଗ ବେରଙ୍ଗ ତୁଲିପ୍ ଫୁଲ ଦେଖିବା ଫଳରେ ଆପଣଙ୍କ ମନ ଶାନ୍ତ ଓ ଖୁସି ରହିବ। ଏଥିସହିତ ଏହି ବଗିଚାକୁ ଆହୁରି ଆକର୍ଷିତ ଦେଖାଇବା ଲାଗି ଡାଫୋଡିଲସ୍, ହଏଚିନ୍ଥ, ନାର୍ସିସସ୍ ଓ ଅନ୍ୟାନ୍ୟ ଫୁଲ ଗଛ ଲଗାଯାଇଛି। ଏଥିସହିତ ଝରଣା ଏହି ବଗିଚାର ସୌନ୍ଦର୍ଯ୍ୟକୁ ଅନେକ ଗୁଣା ବଢ଼ାଇବା କାମ କରେ। ଏହାବ୍ୟତୀତ ଏହି ବଗିଚାର ବାହାରେ ଥିବା ହସ୍ତକଳା କିଣିବା ସହିତ ଖାଦ୍ୟପେୟର ମଜା ମଧ୍ୟ ନେଇପାରିବେ।
କେବେ ଆରମ୍ଭ ହେବ ଫେଷ୍ଟିଭାଲ
ଏହି ତୁଲିପ୍ ଫେଷ୍ଟିଭାଲ ୧ ଏପ୍ରିଲ୍ରୁ ଆରମ୍ଭ ହୋଇ ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ପୂରା ଏକ ମାସ ଯାଏ ଚାଲିବ। ଏପରିସ୍ଥଳେ ଆପଣଙ୍କୁ ତରତର ହେବାର କୌଣସି କାରଣ ନାହିଁ। ଏଠାକୁ ଯିବା ଲାଗି ଆପଣ ଆରାମରେ ଯୋଜନା କରିପାରିବେ।
କିପରି ମିଳିବ ଏଣ୍ଟ୍ରି
ଏହି ସୁନ୍ଦର ଓ ଆକର୍ଷକ ଗାର୍ଡେନ୍ରେ ବୁଲିବାର ମଜା ଆପଣ କମ୍ ଖର୍ଚ୍ଚରେ ନେଇପାରିବେ। ଏହି ବଗିଚାରେ ଏଣ୍ଟ୍ରି ପାଇଁ ବୟସ୍କଙ୍କ ପାଇଁ ୫୦ ଟଙ୍କା ଓ ପିଲାଙ୍କ ପାଇଁ ୨୫ ଟଙ୍କା ରହିଛି। ଏହି ଗାର୍ଡେନ୍ ବର୍ଷରେ କେବଳ ୪୫ ଦିନ ଅର୍ଥାତ୍ ଦେଢ଼ ମାସ ପାଇଁ ଖୋଲା ରହିଥାଏ। ତଥାପି ଏହି ସୁନ୍ଦର ଓ ମନମୋହକ ବଗିଚାର ଦୃଶ୍ୟ ଦେଖିବା ଲାଗି ପ୍ରତ୍ୟେକ ବର୍ଷ ଏଠାକୁ ପାଖାପାଖି ୧.୮୦ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି।


