କାର୍ ସହ ବାଇକ୍ ମୁହାଁମୁହିଁ – ୨ ଗୁରୁତର
ହିଂଜିଳିକାଟୁ, (ଶେଷଦେବ ସାହୁ) : ୫୯ ନଂ ଜାତୀୟ ରାଜପଥ ତଥା ହିଂଜିଳି ଥାନା ମକରଝୋଳ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ହୁଣ୍ଡାଇ କାର (ନଂ ଓଆର ୦୭ ୱାଇ ୧୯୯୧) ସହ ହିରୋ ଏଚଏଫ୍ ଡ଼ିଲକ୍ସ ବାଇକ (ନଂ ଓଡ଼ି୦୭ କ୍ୟିୟୁ ୨୭୮୨)ର ମୁହାଁ ମୁହିଁ ଧକ୍କା ଘଟି ୨ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ୱୟ ହେଲେ ବ୍ରହ୍ମପୁର ହରିଡ଼ାଖଣ୍ଡି ଲକ୍ଷ୍ମୀ ନୃସିଂହ ସାହିର ଶିବ ଗୌଡ଼(୧୯) ଓ କାଳିଆ ଗୌଡ଼ (୨୨) ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ଗୁରୁତର ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ଦୂର୍ଘଟଣା ଗ୍ରସ୍ତ କାର ଓ ବାଇକକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଥାଉକି, ହାତୀଓଟ ଗ୍ରାମରୁ କାର୍ଯ୍ୟ ସାରି ଶିବ ଓ କାଳିଆ ବାଇକ ଯୋଗେ ବ୍ରହ୍ମପୁର ଫେରୁଥିବା ସମୟରେ ବ୍ରହ୍ମପୁର ଠାରୁ ହିଂଜିଳିକାଟୁ ଅଭିମୁଖେ ଆସୁଥିବା ଏକ ହୁଣ୍ଡାଇ କାର ସହ ମକରଝୋଳ ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା ।


