କାଶୀ ବିଶ୍ଵନାଥ ଶୈବପୀଠରେ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ଶୁଭାରମ୍ଭ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ କମଳାପୁର ଗ୍ରାମ ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ଶୈବପୀଠରେ ବୁଧବାର ଠାରୁ ୮ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ଓ ୪୮ ପ୍ରହର ନାମଯଜ୍ଞ ଶୁଭାରମ୍ଭ ହୋଇଛି । ମହାଯଜ୍ଞ ଆରମ୍ଭ ପୂର୍ବରୁ ପଣ୍ତିତ ଅଶୋକ କୁମାର ପାଢୀଙ୍କ ପୈାରହିତ୍ଯରେ ଆଖପାଖ ଗ୍ରାମର ୩୦୧ ମାନସିକଧାରୀ ମହିଳା କଳସ ଯାତ୍ରାରେ ସାମିଲ ହୋଇ ନିକଟସ୍ଥ ଜନକ ନାଳରୁ ଗଙ୍ଗାମାତାଙ୍କୁ ଆବାହନ କରି ବାଦ୍ୟ ବାଜଣା , ସଙ୍କୀର୍ତ୍ତନ ଏବଂ ହୁଳହୁଳି ଧ୍ଵନି ଦେଇ ମହାଯଜ୍ଞ ସ୍ଥଳ ରେ ପହଞ୍ଚିଥିଲେ। ମହାଯଜ୍ଞ ମୁଖ୍ୟକର୍ତ୍ତା ରୂପେ ଲକ୍ଷ୍ମୀ ନାରାୟଣ ସାହୁ ଏବଂ ଧର୍ମପତ୍ନୀ ରାଜଲକ୍ଷ୍ମୀ ସାହୁ ଆସନ ଅଳଙ୍କୃତ କରିଥିଲେ । ମହାଯଜ୍ଞର ପ୍ରଥମ ଦିନରେ ଜଳଯାତ୍ରା ସମେତ ମଣ୍ଡଳାଧିବାସ , ଦୀକ୍ଷା ଗ୍ରହଣ , ଅଙ୍କୁରାରୋପଣ , ନାମଯଜ୍ଞାଧିବାସ ପ୍ରଭୃତି ପୂଜାର୍ଚ୍ଚନା ହୋଇଥିବା ବେଳେ ଗୁରୁବାର ଠାରୁ ଯଜ୍ଞାରମ୍ଭ ଓ ମହା ରୁଦ୍ରାଭିଷେକ , ଷୋଡଶୋପଚାର ପୂଜା ଅନୁଷ୍ଠିତ ହେବ ବୋଲି ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ମହାଯଜ୍ଞ ଆସନ୍ତା ବୁଧବାର ପୂର୍ଣ୍ଣାହୁତି ହେବାକୁ ଥିବା ବେଳେ ପ୍ରତ୍ୟେକ ଦିନ ଘୃତଯଜ୍ଞ , ଅନ୍ନଯଜ୍ଞ , ନାମଯଜ୍ଞ , ଜ୍ଞାନଯଜ୍ଞ ଅନୁଷ୍ଠିତ ହେବ । ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ମଳିକ , ମହାଯଜ୍ଞ ପରିଚାଳନା କମିଟି ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ଉପସଭାପତି ରବୀନ୍ଦ୍ରନାଥ ଡାକୁଆ , ସମ୍ପାଦକ ସୁଦାମ ଦୋରା , ସହ ସମ୍ପାଦକ ଦେବହରି ଗୌଡ଼ , କୋଷାଧ୍ୟକ୍ଷ ସହଦେବ ରେଡ୍ଡୀ , ଜାଗିଲି ସେଠୀ , ରାଜେନ୍ଦ୍ର କୁମାର ଦୋରା , ଜଗନ୍ନାଥ ପାତ୍ର , ଲକ୍ଷ୍ମୀ ମଳିକ , କୃଷ୍ଣ ସେଠୀ , ଦିବାନ ରେଡ୍ଡୀ ଙ୍କ ସମେତ କଇଠଡା ପଞ୍ଚାୟତ ବାସୀ , ମନ୍ଦିର ପରିଚାଳନା କମିଟି ଓ ମହାଯଜ୍ଞ କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ମହାଯଜ୍ଞ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି । ବୁଧବାର ଅପରାହ୍ନରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମହାଯଜ୍ଞ ସ୍ଥଳ ପରିଦର୍ଶନ କରି କାଶୀ ବିଶ୍ଵନାଥ ମହାଦେବ ଙ୍କ ପୀଠ ରେ ପୂଜାର୍ଚ୍ଚନା କରି ଫେରିଥିବା ଜଣାପଡ଼ିଛି ।