କୁକୁଡା ଚୋରୀକୁ ନେଇ ହତ୍ୟା ଧମକ, ମହିଳା ଥାନାର ଦ୍ୱାରସ୍ଥ
ହାଟଡିହି, (ବିକାଶ ବିଶ୍ୱାଳ) :-କୁକୁଡା ଚୋରୀକୁ ନେଇ ନନ୍ଦିପଦା ଥାନା ଅଧିନସ୍ଥ ମଧୁର ଗଡିଆ ଗ୍ରାମରେ ଗୋଟିଏ ପରିବାରକୁ ହତ୍ୟା ଧମକ ଦିଆଯାଉଥିବା ନେଇ ଜଣେ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମର କୃଷ୍ଣ ସେନାପତିଙ୍କ ସ୍ତ୍ରୀ ଲୋଚନ ସେନାପତି ଥାନାରେ କରିଥିବା ଅଭିଯୋଗ ଅନୁଯାଇ ଗତ ୧ତାରିଖ ଦିନ ତାଙ୍କର ଏକ କୁକୁଡା ଚୋରୀ ହୋିଥିଲା । ସେ ଅନେକ ଖୋଜାଖୋଜି କରିବା ପରେ କୁକୁଡାକୁ ପାଇ ନଥିଲେ । କିନ୍ତୁ ୨ତାରିଖ ଦିନ ତାଙ୍କ କୁକୁଡାକୁ ସେହି ଗ୍ରାମର ଜଣେ ବ୍ୟକ୍ତି ନେଇଯାଇ ଗେଡମା ଗ୍ରାମରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଛି ବୋଲି ଜାଣିବାପରେ ଲୋଚନ ସେନାପତିଙ୍କ ପୁଅ ଗେଡମା ଗ୍ରାମକୁ ଯାଇ କୁକୁଡାଟିକୁ ଉଦ୍ଧାର କରି ଆଣିଥିଲେ । ଏହାପରେ ଗାଁରେ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯିବା ସହିତ ଚୋରୀ କରିଥିବା ବ୍ୟକ୍ତି ଜଣକ ଗାଁରେ ଜୋରିମାନା ଦେଇଥିଲେ । ମାତ୍ର ଏହା ପରଠାରୁ ସେ ନିୟମିତ ଭାବେ ଲୋଚନଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଚମକ ଦେବା ସହିତ ତାଙ୍କ ଘର ସମ୍ମୁଖରେ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରୁଛି । ଏନେଇ ଲୋଚନ ଆଜି ନନ୍ଦିପଦା ଥାନାରେ ଅଭିଯୋଗ କରି ପୁଲିସକୁ ନ୍ୟାୟ ଦେବାପାଇଁ ନିବେଦନ କରିଛନ୍ତି ।


