କୁଷ୍ଠାଶ୍ରମ ଓ କୁଷ୍ଠ କଲୋନୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କୁଷ୍ଠସେବା କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ୮୬ ବର୍ଷୀୟ ନିପୋନ ଫାଉଣ୍ଡେସନର ଅଧ୍ୟକ୍ଷ ଯୋହଇ ସାସାକୱାଙ୍କ ଓଡ଼ିଶା ପରିଦର୍ଶନ ସମୟରେ ସାସାକୱା ହେଲ୍‌ଥ ଫାଉଣ୍ଡେସନ, ଆପାଲ ଇଣ୍ଡିଆ, ଆପାଲ ଓଡ଼ିଶା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, କେନ୍ଦ୍ର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସହଭାଗିତାରେ ହୋଟେଲ ବିଭାନ୍ତା ସମ୍ମିଳନୀ କକ୍ଷରେ ଚଳିତବର୍ଷ ବିଶ୍ୱ କୁଷ୍ଠ ଦିବସ ଅବସରରେ “କୁଷ୍ଠ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପ୍ରତି ଘୃଣା ଓ ଭେଦଭାବ ବନ୍ଦ ପାଇଁ ଗ୍ଲୋବାଲ ଆବଦେନ ୨୦୨୫ ଓଡ଼ିଶାରୁ ଆରମ୍ଭ ହୋଇ ସାରା ବିଶ୍ୱରେ ଏହି ବାର୍ତ୍ତା କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସାସାକାୱା ଦୀର୍ଘ ୪୦ ବର୍ଷ ଧରି ବିଶ୍ୱର ୧୯୩ଟି ଦେଶରେ କୁଷ୍ଠ ନିରାକରଣ ପାଇଁ କାର୍ଯ୍ୟ କରୁଥିବା କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଙ୍କୁ ସଦ୍‌ଭାବନା ଦୂତ ଭାବେ ନିଯୁକ୍ତି ଦେଇଅଛନ୍ତି । ଭାରତ ସରକାର ତାଙ୍କୁ ୨୦୧୮ ମସିହାରେ “ଆନ୍ତର୍ଜାତିକ ଗାନ୍ଧି ପିସ୍ ଆୱାର୍ଡ” ପ୍ରଦାନ କରିଛନ୍ତି । ଡାକ୍ତର ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଷ୍ଠ ନିରାକରଣରେ ସାସାକାୱା ହେଲ୍‌ଥ ଫାଉଣ୍ଡେସନ ସହିତ ମିଶି କାର୍ଯ୍ୟ କରିବେ ବୋଲି କହିଥିଳେ ।
ନିପୋନ ଫାଉଣ୍ଡେସନର ଅଧ୍ୟକ୍ଷ ସାସାକାୱା, ଆପାଲ ଇଣ୍ଡିଆର ସଭାପତି ମାୟାର ରଣଭାରେ, ଉପସଭାପତି ଜବାହର ପାଶୱାନ, ଆପାଲ ଓଡ଼ିଶାର ରାଜ୍ୟ ଲିଡ଼ର ପ୍ରଭାକର ସାହୁ, ସାଧାରଣ ସମ୍ପାଦିକା ଜୟନ୍ତୀ ପ୍ରଧାନ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଡାକ୍ତର ରଙ୍ଗନାଥ ରାଓ ୩୦ଟି ଜିଲ୍ଲାର କୁଷ୍ଠ ପ୍ରତିନିଧି ଏବଂ ରାଜ୍ୟ କୁଷ୍ଠ ସଂଘର ସଭାପତି ଦୁର୍ଯ୍ୟୋଧନ ସାହୁ ଯୋଗ ଦେଇଥିଲେ । ଉକ୍ତ ଦିବସରେ ସାସାକାୱା, ମାୟାରଣଭାରେ, ଜବାହର ପାଶୱାନ ଏବଂ ପ୍ରଭାକର ସାହୁ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ହରିବାବୁ କୁମ୍ଭମପତିଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ୍ କରି ରାଜ୍ୟରେ ଥିବା ୮୬ଗୋଟି କୁଷ୍ଠ କଲୋନୀରେ ସ୍ଥାୟ ଜମ ପଟ୍ଟା, ଆଦର୍ଶ ବାସଗୃହ, ୩୫ କେଜି ରାସନ ଓ ପ୍ରତି କୁଷ୍ଠରୋଗୀଙ୍କୁ ଚଳିବା ପାଇଁ ମାସିକ ୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଆଲୋଚନା କରିଥିଲେ । ତା ୩୧.୦୧.୨୦୨୫ରିଖରେ ଧାରାବତୀ ଓ ବାପୁଜୀ କୁଷ୍ଠ କଲୋନୀ ଜଟଣୀ, ଏବଂ ତା ୦୧.୦୨.୨୦୨୫ରିଖରେ କଟକ କୁଷ୍ଠାଶ୍ରମ ଓ କୁଷ୍ଠ ଚିକିତ୍ସାଳୟ, ଶାନ୍ତିଦାନ କୁଷ୍ଠ କଲୋନୀ ଖୋର୍ଦ୍ଧା ପରିଦର୍ଶନ କରି କୁଷ୍ଠରୋଗୀଙ୍କ ଗହଣରେ ରହି ସେମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ପ୍ରତ୍ୟେକ କୁଷ୍ଠ ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସାରା ଭାରତରେ ୮୦୦ କୁଷ୍ଠ କଲୋନୀରେ ଥିବା କୁଷ୍ଠପୀଡ଼ିତ ଏବଂ ତାଙ୍କ ପରିବାର ସେଥିରୁ ଓଡ଼ିଶାରେ ଥିବା ୮୬ କୁଷ୍ଠ କଲୋନୀରେ ଉପଯୁକ୍ତ ଥଇଥାନ ଓ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ