କୃଷକ,କଳାକାର,ପାର୍ଲର, ଜିମ ସଙ୍ଘର ବୈଠକ : ଲୋକଙ୍କ ଜୀବିକା ସହ ନଖେଳିବାକୁ ନବନିର୍ମାଣର ଚେତାବନୀ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କୃଷକ,କଳାକାର,ପାର୍ଲର,ଜିମ ସଙ୍ଘର ଏକ ବୈଠକ ହଙ୍ଗ୍ରିଲ ହୋଟେଲ ପରିସରରେ ଜ୍ୟୋର୍ତିମୟୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ସଭାକୁ ସମ୍ବୋଧିତ କରି କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ ଜୀବିକା ବିନା ଜୀବନର ମୂଲ୍ୟ କିଛି ନାହିଁ । ସରକାର କରୋନା ବାହାନାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଉଜାଡି ସାରିଲେଣି । କରୋନା ଯେତିକି ଭୟଙ୍କର ତା ଠାରୁ ଲକଡାଉନ୍ ଓ ସଟଡାଉନ୍ ବେଶି ଘାତକ ସାବ୍ୟସ୍ତ ହୋଇଛି । ତାମିଲନାଡୁ, ଦିଲ୍ଲୀ,ତେଲେଙ୍ଗାନା ସରକାରଙ୍କ ଠାରୁ ଆମେରିକା, ଫ୍ରାନ୍ସ ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କୁ ସିଧାସଳଖ ଅର୍ଥ ଦେଲାବେଳେ ଆମ ସରକାର ଲୋକଙ୍କ ଦୁର୍ଦ୍ଦିନରେ ହାତ ବାନ୍ଧି ବସିବା ଅତ୍ୟନ୍ତ ଜନ ବିରୋଧି । ଏହା ବିରୋଧରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତୀ ଦିବସରେ ତମାମ ଓଡିଶାରେ ବିକ୍ଷୋଭ ହେବ । ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆମେ ଚାଷୀମାନେ ଅନ୍ୟାନ୍ୟ ବର୍ଗ ପାଇଁ ମୁହଁ ଖୋଲୁଛୁ ଯେ ଆମେ ଓଡିଶାର ସବୁଠୁ ବଡ ଗଣ ସଂଗଠନ । ଗଣ ସଂଗଠନର କାମ ହେଉଛି ସବୁ ବର୍ଗଙ୍କ ସମସ୍ୟା ସମୟରେ ସେମାନଙ୍କ ସହ ଠିଆ ହେବା । ଏଥି ପାଇଁ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଉଥିବା କଳାକାର ସୁଗଠିତ ସ୍ୱାସ୍ଥ୍ୟ ବନାଉଥିବା ଜିମ ଏବଂ ସମସ୍ତଙ୍କର ସୈାନ୍ଧର୍ଯ୍ୟ ବୃଦ୍ଧି କରାଉଥିବା ପାର୍ଲର ସଙ୍ଘ ସହ ଠିଆ ହେବାକୁ ଜରୁରୀ ମନେକରି ସଟଡାଉନ୍ ଲକଡାଉନ୍ ଜାରି କରି ଲୋକଙ୍କ ଜୀବିକା ଉଜାଡୁଥିବା ବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆନ୍ଦୋଳନ ହେଉଛି । ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ କହିଲେ ଯେ କରୋନା ସମୟରେ ଦରବୃଦ୍ଧି ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଦରବୃଦ୍ଧି ସମୟରେ ବୃତ୍ତି ହରାଇ ଲୋକେ ତଳିତଳାନ୍ତ ହେଉଛନ୍ତି ଆଉ ଏହାର କ୍ଷତିପୁରଣରେ ଅନ୍ତତଃ ପକ୍ଷେ ସମସ୍ତଙ୍କୁ ଛଅ ମାସର ଜୀବିକା ବୃତ୍ତି ୧୧ଶହ କୋଟି ଦେବା ପାଇଁ ଆମେ ଆହ୍ୱାନ କରୁଛୁ ବୋଲି ମତବ୍ୟକ୍ତ କରିଥିଲେ । ପାର୍ଲର ସଙ୍ଘ ପକ୍ଷରୁ ତନୁଶ୍ରୀ ନାୟକ, ରୋଜାଲିନ ବେହେରା, ସ୍ମିତାରାଣୀ ସ୍ୱାଇଁ ପ୍ରମୁଖ ଘରଭଡା, ଋଣ, ଇ.ଏମ.ଆଇ. ଓ ଖୋଲା ମ୍ୟାଟେରିଆଲ ନଷ୍ଟ ଠାରୁ ଆର୍ଥିକ ଅନଟନ ପର୍ଯ୍ୟନ୍ତ ମନ୍ତବ୍ୟ ରଖିଥିଲେ । କଳାକାର ସଙ୍ଘ ପକ୍ଷରୁ ପ୍ରଭାସିନୀ ଦଣ୍ଡପାଟ, ପ୍ରକାଶ ସିଂ ପ୍ରମୁଖ ଯାତ୍ରା କଳାକାରଙ୍କ ସମସ୍ୟା ଉପସ୍ଥାପନ କରିଥିଲେ । କୃଷକ ସଙ୍ଘର ଜିଲ୍ଲା ସଂଯୋଜକ ଅକ୍ରୁର ପଲାଇ, ଅଭୟ କୁମାର ପରିଡା, ଦିବାକର ଦାସ, ଦୋଳଗୋବିନ୍ଦ ବାବୁ ପ୍ରମୁଖ ଚାଷ ସମୟରେ ପାଣି ଓ ସାର ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁମିତ୍ରା ଲେଙ୍କା, ସୁଭାସିନୀ ସିଂ, ସଙ୍ଘମିତ୍ରା ସାମନ୍ତରାୟ, ପ୍ରଭାମୟ ଆର୍ଯ୍ୟ, ମେନେକା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।