କେଏସ୍ଏସ୍ କମ୍ପାନୀରେ ଅଗ୍ନିକାଣ୍ଡ, ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ

ପିପିଲି ନିକଟବର୍ତ୍ତୀ ମଙ୍ଗଳପୁର ବଜାର ଠାରେ ଥିବା କେଏସ୍ଏସ୍ କମ୍ପାନୀର ଏକ ଗୋଦାମ ଘରେ ବୁଧବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଜଣାନଡିଛି। ସତ୍ୟବାଦୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୨ଘଣ୍ଟାକାଳ ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଉକ୍ତ କେଏସ୍ଏସ୍ କମ୍ପାନୀର ଏକ ଗୋଦାମରେ ନିଆଁ ଲାଗିଯାଇଥିଲା। ଏଥିରେ ଉକ୍ତ ଗୋଦାମରେ ଥିବା ବହୁ କେମିକାଲ ଭର୍ତ୍ତି ଡ୍ରମ, କାଠ ଓ ପ୍ଲାଷ୍ଟିକ ଆସବାବପତ୍ର, ପ୍ଲାଏବୋର୍ଡ, ବ୍ରିଜ୍ ନିର୍ମାଣରେ ବ୍ୟବହାର ହେଉଥିବା ବହୁ ପରିମାଣର ମୂଲ୍ୟବାନ ସ୍ପଞ୍ଜ ବଣ୍ଡଳ ଆଦି ଜଳିପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ସତ୍ୟବାଦୀରୁ ୨ଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୨ଘଣ୍ଟାକାଳ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ନିଆଁ କମ୍ପାନୀର ଅନ୍ୟ ବିଭାଗକୁ ବ୍ୟାପିବା ପୂର୍ବରୁ ନିୟନ୍ତ୍ରଣ କରାଯାଇ ପାରିଥିବା ଯୋଗୁଁ ଏକ ବଡ ଧରଣର ବିପଦକୁ ଏଡାଇ ଦିଆଯାଇ ପାରିଥିବା ଜଣାଯାଇଛି।ଗତବର୍ଷ ମଇ ମାସ ୯ ତାରିଖରେ ମଧ୍ୟ ଏହି କମ୍ପାନୀର ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟି ଶହେରୁ ଉର୍ଦ୍ଧ ଟାୟାର ଓ ଅନ୍ୟାନ୍ୟ ଜିନିଷ ଜଳି ଯାଇଥିଲା। ତେବେ ବାରମ୍ବାର ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଉଥିବା ସନ୍ଦେହ କରାଯାଉଛି।
କାଜ୍କସ୍ଥାନର କାଜ୍ ଷ୍ଟ୍ରୟ ସର୍ଭିସ( କେଏସ୍ଏସ୍) କମ୍ପାନୀ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସଂପ୍ରସାରଣ କାର‌୍ୟ୍ୟ ଦାୟିତ୍ୱ ନେବା ପରେ ମଙ୍ଗଳପୁର ଠାରେ ୨୮ ଏକର ଜମି ଲିଜ୍ ନେଇ ସେଠାରେ ଅଫିସ, ଷ୍ଟୋର ରୁମ୍ ଓ ଗୋଦାମ ଘର ଆଦି ନିର୍ମାଣ କରିଥିଲା। ତେବେ ଉକ୍ତ କମ୍ପାନୀରେ ହାଇୱା ଟ୍ରକ୍ ସମେତ ଅନ୍ୟାନ୍ୟ ଗାଡି ଲଗାଇଥିବା ମାଲିକ ମାନଙ୍କର କୋଟି କୋଟି ଟଙ୍କା ବାକି ପଡିଥିବା ବେଳେ ଶ୍ରମିକ ମାନେ ମଧ୍ୟ ସେମାନଙ୍କ ପ୍ରାପ୍ୟ ପାଇନଥିଲେ। ଏନେଇ ଭେଣ୍ଡର ସଂଘ ପକ୍ଷରୁ ବିଭିନ୍ନ ସମୟରେ ଧାରଣା ଓ ଆନ୍ଦୋଳନ କରାଯାଇଥିଲା। ଗତ ୨୦୧୫ ମସିହାରେ କର୍ମଚାରୀମାନେ କମ୍ପାନୀ ଛାଡି ଚାଲିଯିବା ପରେ କମ୍ପାନୀରେ ଏବେ ତାଲା ଝୁଲୁଛି। ମାତ୍ର ୫ଜଣ ସିକ୍ୟୁରିଟି କର୍ମଚାରୀ କମ୍ପାନୀକୁ ଦିନରାତି ଜଗି ରହିଥିବା ବେଳେ ଜେନେରେଟର ଚାଲୁନଥିବାରୁ ରାତିରେ ଉକ୍ତ ଅଞ୍ଚଳ ସଂପୂର୍ଣ୍ଣ ଅନ୍ଧକାର ରହୁଥିବା ଜଣାଯାଇଛି। ପ୍ରାୟ ୧୦୦କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ବହୁସଂଖ୍ୟାରେ ହାଇୱା ଟ୍ରକ, ଜେସିବି, କଂକ୍ରିଟ୍ ମିକ୍ସର ମେସିନ୍, ଜେନେରେଟର, କ୍ରେନ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ଯନ୍ତ୍ରାଂଶ ଉକ୍ତ କଂପାନୀ ମଧ୍ୟରେ ପଡିରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ