କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚଳାଅ- ସି.ପି.ଆଇ (ଏମ୍ )
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉଦେଶ୍ୟରେ କେନ୍ଦ୍ରାପଡାକୁ ଅବିଳମ୍ବେ ଯାତ୍ରୀବାହି ଟ୍ରେନ ଚଳାଇବା ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି କେନ୍ଦ୍ରାପଡାବାସୀଙ୍କର ବହୁଦିନର ଦାବି ତଥା ବହୁ ପ୍ରତିକ୍ଷିତ ହରିଦାସପୁର- ପାରାଦ୍ୱୀପ ରେଳ ଲାଇନର କାର୍ଯ୍ୟ ସମାପନ ପରେ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ତେବେ ନିୟମ ଅନୁଯାୟୀ ଅଥରାଇଜେସନ ସାର୍ଟିଫିିକେଟ ମିଳିବା ପରେ ସମସ୍ତ ଟ୍ରେନ ଚଳାଚଳ କରିଥାଏ । ଯାହାକି ହରିଦାସପୁର – ପାରାଦ୍ୱୀପ ରେଳ ଲାଇନ ପାଇଁ ମିଳିସାରିଛି । କିନ୍ତୁ ଦୁଖ ଏବଂ କ୍ଷୋଭର ବିଷୟ ରେଳ ବିଭାଗ ଟ୍ରାଏଲ ଟ୍ରେନ ଚଳାଇବା ନାଆଁରେ ଲୋକଙ୍କୁ ଭୁଆଁ ବୁଲାଉଛି । ଯାହାକି ଅପରାଧ । କେନ୍ଦ୍ରାପଡା ଦେଇ ଯାଉଥିବା ମାଲବାହୀ ରେଳ କେନ୍ଦ୍ରାପଡାବାସୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ତାହା ଜିଲ୍ଲାବାସୀ ଜାଣନ୍ତି । ଯାତ୍ରୀବାହୀ ଟ୍ରେନ ଚାଲିଲେ ହିଁ କେନ୍ଦ୍ରାପଡାବାସୀଙ୍କ ସ୍ୱପ୍ନ ସାକାର ହେବ । ରେଳ ମନ୍ତ୍ରୀ ଏ କଥା ବୁଝିବା ଦରକାର ହରିଦାସପୁର- ପାରାଦ୍ୱୀପ ରେଳ ଲାଇନ କେବଳ କେନ୍ଦ୍ରାପଡା ବାସୀଙ୍କ ଦାବି ଓ ଲଢେଇ ଫଳରେ ସମ୍ଭବ ହୋଇଛି । ଆଜକୁ ୨୬ ବର୍ଷ ହେଲା କେନ୍ଦ୍ରାପଡା ଦେଇ ରେଳ ଚାଲିବ ବୋଲି ଜିଲ୍ଲାବାସୀ ଧର୍ଯ୍ୟର ସହ ଅପେକ୍ଷା କରିଥିଲେ । ରେଳ ଚାଲିଲା । କିନ୍ତୁ କେନ୍ଦ୍ରାପଡା ବାସୀ କେବଳ ରେଳର ଦୃଶ୍ୟ ଦେଖୁଛନ୍ତି । ସ୍ୱପ୍ନ ସାକାର ହେଲା ନାହିଁ । ଏଣୁ ରେଳ ବିଭାଗ କେନ୍ଦ୍ରାପଡା ବାସୀଙ୍କ ସ୍ୱପ୍ନ ଓ ଭାବାବେଗ ସହିତ ଖେଳ ନ ଖେଳି ଯାତ୍ରୀବାହି ଟ୍ରେନ କେବେ ଚଳାଇବ ତାହାର ତାରିଖ ଘୋଷଣା କରିବା ପାଇଁ ରେଳ ମନ୍ତ୍ରୀଙ୍କ ନିକଟରେ ସିପିଆଇଏମ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ସଂପାଦକ ଗୟାଧର ଧଳ, ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ, ଜଗତଜୀବନଦାଶ. ମାଧବ ଦାସ ପ୍ରମୁଖ ଦାବି କରିଛନ୍ତି ।


