କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ନିର୍ବାଚନ : ବ୍ୟାଙ୍କ ପ୍ରତିଷ୍ଠାତାଙ୍କ ପୁଅ ହେବେ ସଭାପତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ସମବାୟ ନିର୍ବାଚନ ମଧ୍ୟରେ ସବୁଠୁ ଚର୍ଚ୍ଚାରେ ଥିଲା କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ନିର୍ବାଚନ । କାରଣ ଏହି ବ୍ୟାଙ୍କ ଅଧିନରେ ଥିବା ୧୫ଟି ଜୋନ ମଧ୍ୟରୁ ୧୨ଟି ଜୋନରେ ନିଦ୍ୱର୍ନ୍ଦ୍ୱରେ ୧୨ଜଣ ନିର୍ଦେଶକ ବିଜୟୀ ହୋଇସାରିଥିଲେ । କେନ୍ଦ୍ରାପଡ଼ା ପୌରପାଳିକା ଅଧିନରେ ଥିବା ୮ ନମ୍ବର ଜୋନରେ ଅର୍ବାନ ବ୍ୟାଙ୍କର ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସୁପୁତ୍ର ଅବସରପ୍ରାପ୍ତ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଗୁୁରୁପ୍ରସାଦ ମହାନ୍ତି ଓ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲା । ଏହି ପ୍ରତିଦ୍ୱନ୍ଦ୍ୱିତା ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିଲା । ଭୋଟରମାନେ ସକାଳ ୭ଟାରୁ ଏହି କେନ୍ଦ୍ରକୁ ଭୋଟ ଦେବାକୁ ଆସିଥିଲେ । ଭୋଟ ଗ୍ରହଣ ଶେଷ ହେବା ପରେ ଗଣତି ଆରମ୍ଭ ହୋଇଥିଲା । ଗୁରୁପ୍ରସାଦ ମହାନ୍ତି ୫୩୬ ଖଣ୍ଡ ଭୋଟ ପାଇ ନିର୍ଦେଶକ ଭାବେ ବିଜୟ ହୋଇଥିବା ବେଳେ ଅମ୍ବିକା ପ୍ରସାଦ ଦାସ ୨୫୩ ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିଥିଲେ । ପୂର୍ବରୁ ଯେଉଁ ୧୨ଜଣ ନିର୍ଦେଶକ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସେମାନେ ଗୁରୁ ପ୍ରସାଦ ମହାନ୍ତିଙ୍କ ପ୍ୟାନେଲର ଥିଲେ । ତେଣୁ ଗୁରୁପ୍ରସାଦ ମହାନ୍ତି ସଭାପତି ଭାବେ ନିର୍ବାଚିତ ହେବା ପାଇଁ ପଥ ପରିସ୍କାର ହୋଇଯାଇଛି । ଅମ୍ବିକା ଜିତିଥିଲେ ମଧ୍ୟ ସଭାପତି ହୋଇ ପାରି ନ ଥାନ୍ତେ । ସେ କେବଳ ନିର୍ଦେଶକ ହୋଇ ରହିଥାନ୍ତେ । ସେହିପରି ୫ ନମ୍ବର ଜୋନରେ ସୁକାନ୍ତ କୁମାର ଦ୍ୱିବେଦୀ ୩୬୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଏହି ଜୋନରେ ରଘୁନାଥ ଶତପଥି ୨୬୨ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି । ସେହିପରି ୩ ନମ୍ବର ଜୋନରେ ସଂଗ୍ରାମ କେଶରୀ ମଲ୍ଲିକ ୨୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସଚିଦାନନ୍ଦ ବେହେରା ୧୨୫ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି । ଗୁରୁପ୍ରସାଦ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅର୍ବାନ ବ୍ୟାଙ୍କ ପରିସରରେ ବହୁ ନେତାଙ୍କ ଭିଡ଼ ଜମିଥିଲା । ଶ୍ରୀ ମହାନ୍ତିଙ୍କ ନାମ ଘୋଷଣା ହେବା ପରେ ସେ ବ୍ୟାଙ୍କ ପରିସରରେ ଥିବା ପୂର୍ବତନ ମନ୍ତ୍ରୀ ତଥା ତାଙ୍କ ପିତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧଳ ସେଠୀ, ଫକୀର ଚରଣ ଖଟୁଆ, ଶରତ ବେହୁରା, ପୂର୍ବତନ ନଗରପାଳ ପ୍ରବୀର ମହାନ୍ତି, ମୀର ମୁର୍ଶିଦ, ଗୋପାଳକୃଷ୍ଣ ଜେନା, ନିର୍ଦେଶକ ବିଧୁଭୂଷଣ ମହାପାତ୍ର, ରଶ୍ମିରଞ୍ଜନ ଚୌଧୁରୀ, ମହେନ୍ଦ୍ର ପରିଡ଼ା, ଶୁଭ୍ରାଂଶୁ ଶେଖର ପ୍ରତାପ, ପ୍ରଫୁଲ୍ଲ ସାହୁ, ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, ସଂଗ୍ରାମ ମଲ୍ଲିକଙ୍କ ସମେତ କଂଗ୍ରେସ ନେତା ମୁକ୍ତାର ଖାଁ, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଗୁରୁପ୍ରସାଦ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ