କେନ୍ଦ୍ରାପଡା ଜିଲ୍ଲାରେ ନଡିଆର ଅଭାବି ବିକ୍ରୀ ଦୂର ପାଇଁ ନୂତନ ପ୍ରୟାସ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗ୍ରାମାଞ୍ଚଳରେ ନଡିଆର ଅଭାବି ବିକ୍ରୀ ଦୂର କରିବା ଉଦେଶ୍ୟରେ ବହୁ ଉଚ୍ଚ ଶିକ୍ଷିତ ଯୁବକ ଅଣ୍ଟା ଭିଡିଛନ୍ତି । ସେମାନେ ହଳଧର କୃଷକ ଉତ୍ପାଦକ ସଙ୍ଘ ଏବଂ ଖରସ୍ରୋତା କୃଷକ ଉତ୍ପାଦକ ସଙ୍ଘ ନାମରେ ଦୁଇଟି ଉତ୍ପାଦକ ସଙ୍ଘ ପଞ୍ଜିକରଣ କରି ଜିଲ୍ଲାରେ ନଡିଆର ଅଭାବି ବିକ୍ରୀ ଦୂର କରିଛନ୍ତି ଏବଂ ବଜାର ଦର ଠାରୁ ଦୁଇ ଟଙ୍କା ଅଧିକ ମୂଲ୍ୟରେ ଚାଷୀଙ୍କ ପାଖରୁ ନଡିଆ କିଣି ରାଜ୍ୟ ବାହାରର ଯଥା ରାଜସ୍ଥାନର ମୋହଣା, ଦିଲ୍ଲୀର ଆଜାଦନଗର, ଉତ୍ତରପ୍ରଦେଶର ଆଗ୍ରା ପ୍ରଭୃତିର ମଣ୍ଡି ଗୁଡିକୁ ଯୋଗାଣ କରୁଛନ୍ତି । ଶନିବାର ଜମଧରସ୍ଥିତ କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ସହକାରୀ ଉଦ୍ୟାନକୃଷି ନିର୍ଦେଶକ କନ୍ଦ ଜେନା ଏବଂ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅଜୟ କୁମାର ରାଉତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହଳଧର କୃଷକ ଉତ୍ପାଦକ ସଙ୍ଘ ଏବଂ ଖରସ୍ରୋତା କୃଷକ ଉତ୍ପାଦକ ସଙ୍ଘର ନିର୍ଦେଶକ ସନ୍ତୋଷ ପରିଡା, ସୋନାଶିଷ ଜେନା, ଦିପକ ପ୍ରଧାନ, ବିଶ୍ୱଜିତ ପରିଡା, ସୁକାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ଏକ ପଦକ୍ଷେପକୁ ଜିଲ୍ଲାର କୃଷକ ଓ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି ।


