କେନ୍ଦ୍ରାପଡା ବିଡିଓଙ୍କୁ ହତ୍ୟା ଧମକ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ବ୍ଲକର ବିଡିଓ ଅଶ୍ୱିନୀ କୁମାର ଦାସଙ୍କୁ ହତ୍ୟା ଧକମ ଦିଆଯାଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଏହି ହତ୍ୟା ଧମକ ଦେଇଛନ୍ତି ଜଣେ ଠିକାଦାର । ସଂପୃକ୍ତ ଅଭିଯୁକ୍ତ ଠିକାଦାର ଜଣକ ହେଉଛନ୍ତି ପାଟକୁରା ଥାନା ଅନ୍ତର୍ଗତ ବିଲବଳରାମପୁର ଗ୍ରାମର ଚଗଲା ବିଶ୍ୱାଳ । ବଗଡ଼ା ସରପଞ୍ଚଙ୍କ ସ୍ୱାମୀ କୈଳାଶ ଚନ୍ଦ୍ର ପ୍ରଧାନ ଚଗଲାକୁ ଏଭଳି କାର୍ଯ୍ୟରେ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବିଡିଓ ଶ୍ରୀ ଦାସ କେନ୍ଦ୍ରାପଡ଼ା ସଦର ଥାନାରେ ଉଭୟଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ବିଡିଓ ଶ୍ରୀ ଦାସ ଏତଲାରେ ଦର୍ଶାଇଛନ୍ତି ଯେ ଠିକାଦାର ଚଗଲା ବ୍ଲକ କାର୍ଯ୍ୟାଳୟକୁ ଆସି ପ୍ରଥମେ ବ୍ଲକ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲା । ଏଭଳି ଘଟଣାର ବିଡିଓ ପ୍ରତିବାଦ କରିବାରୁ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ଚଗଲା । ଏଥିସହ ତାଙ୍କୁ ଏକ ରୁମରେ ପୁରାଇ ଚଗଲା ତାଲା ପକାଇ ଦେଇଥିଲା । ଏଥିରେ ଅଭିଯୁକ୍ତ ଚଗଲାକୁ ସରପଞ୍ଚଙ୍କ ସ୍ୱାମୀ କୈଳାଶ ସହଯୋଗ କରିଥିବା ବିଡିଓ ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନା ଯୋଗ୍ୟ ଯେ ଏହି ଅଭିଯୁକ୍ତ ଠିକାଦାର ଜଣକ ବଗଡ଼ା ପଞ୍ଚାୟତରେ ନିଜେ ଛିଡା ହୋଇ ଏକ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ । ଯେଉଁଠାରେ କି ବିଧାୟକ ଉଦ୍ଘାଟନ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ବିଡିଓ ଶ୍ରୀ ଦାସ କହିଛନ୍ତି ଯେ ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଠିକାଦାର ଜଣକ ବଗଡ଼ା ପଞ୍ଚାୟତରେ କାମ କରୁଛି । ତାଙ୍କର କିଛି ବିଲ ରହିଥିବା ଅଭିଯୋଗ ସେ କରିଥିଲେ । ହେଲେ ଯେଉଁ କାମ ହେଉଥିଲା ତାହାର ଦାୟିତ୍ୱ ଥିଲା ସରପଞ୍ଚଙ୍କର । ଠିକାଦାରଙ୍କ ବ୍ଲକ କାର୍ଯ୍ୟାଳୟ ସହ କୌଣସି ସମ୍ପର୍କ ନାହିଁ । ତେଣୁ ବ୍ଲକ ମଧ୍ୟରେ ଅବୈଧ ପ୍ରବେଶ କରି ଗାଳିଗୁଲଜ କରିବା ଓ ହତ୍ୟା ଧମକ ଦେବା ବେଆଇନ୍ କାର୍ଯ୍ୟ । ତେଣୁ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ବୋଲି ବିଡିଓ ଶ୍ରୀ ଦାସ କହିଛନ୍ତି ।


