କେନ୍ଦ୍ରାପଡ଼ାରେ ଜୱାଦ ବାତ୍ୟା ପାଇଁ ୪୮୨ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ବ୍ଲକ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି । ଶନିବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ୪୮୨ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ଡେରାବିଶ ବ୍ଲକରୁ ୮୫, ଗରଦପୁରରୁ ୨୮, ମାର୍ଶାଘାଇରୁ ୨୦, ରାଜକନିକାରୁ ୬୪, ରାଜନଗରରୁ ୨୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୫ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୮ଟି ଅନ୍ୟାନ୍ୟ ଆଶ୍ରୟସ୍ଥଳୀକୁ ମିଶାଇ ସମୁଦାୟ ୧୩ଟି ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ରଖାଯାଇଛି । ବାତ୍ୟା ନିମନ୍ତେ ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ଏନ୍‌ଡିଆରଏଫ ଦଳ ଏବଂ ଓଡ୍ରାଫ ଦଳକୁ ତିନି ଭାଗରେ ବିଭକ୍ତ କରାଯାଇ ଗୋଟିଏ କେନ୍ଦ୍ରାପଡ଼ା ସଦର ମହକୁମାରେ, ଦ୍ୱିତୀୟଟି ରାଜକନିକାରେ ଓ ତୃତୀୟ ଦଳକୁ ମାର୍ଶାଘାଇରେ ମୁତୟନ କରାଯାଇଛି । ପୂର୍ବରୁ ପ୍ରଥମ ଏନ୍‌ଡିଆରଏଫ ଏବଂ ଓଡ୍ରାଫକୁ ରାଜନଗର ଏବଂ ମହାକାଳପଡ଼ାରେ ପ୍ରସ୍ତୁତ ରଖାଯାଇଛି । ତାଳଚୁଆ ଓ ରଙ୍ଗନି ମଧ୍ୟରେ ଅଗ୍ନିନିର୍ବାପକ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଗରଦପୁର ବ୍ଲକ କିନିଲୋ ଗ୍ରାମରେ ଗୋପାଳ ବାରିକଙ୍କ ପୁଅ ଦିଲୀପ ବାରିକଙ୍କ ଘର କାନ୍ଥ ପଡିଯାଇଥିବାରୁ ତାଙ୍କ ପରିବାର ଲୋକଙ୍କୁ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ରଖାଯାଇଛି । ତାଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ଗରଦପୁର ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । ଯାଜପୁର ଜଲ୍ଲାରୁ ରାଜକନିକାକୁ ଧାନ କାଟିବାକୁ ଆସିଥିବା ୩୫ ଜଣ ଲୋକଙ୍କୁ ବାଘାବୋଡ଼ା ବିଦ୍ୟାଳୟରେ ରଖାଯିବା ସହ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଓଳାଭର କାଳୀ ପଡିଆରେ ମହାରାଷ୍ଟ୍ରରୁ ଆସିଥିବା ୨୭ ଜଣ ଯାଯାବର ଲୋକଙ୍କୁ ପଲିଥିନ ତଳେ ରହୁଥିବାରୁ ସେମାନଙ୍କୁ ଓଳାଭର ଉଚ୍ଚ ବିଦ୍ୟାଳୟରେ ରଖାଯାଇ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ସମସ୍ତ ବ୍ଲକ ଓ ତହସିଲ, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ଏବଂ ଜିଲ୍ଲା ଜରୁରୀ ବିଭାଗ ‘ଜୱାଦ’ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ବେଳେ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ