କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଯୋଗ ଦେଲେ ୫ ଅଧ୍ୟାପକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ସଙ୍କଟ ଲାଗି ରହିଥିବା ବେଳେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ନବନିଯୁକ୍ତ ଅଧ୍ୟକ୍ଷ ଗୋପାଳଚନ୍ଦ୍ର ବେହେରାଙ୍କ ଉଦ୍ୟମକ୍ରମେ ୫ ଜଣ ଅଧ୍ୟାପକ ବୁଧବାର ମହାବିଦ୍ୟାଳୟରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ବାଣିଜ୍ୟ ବିଭାଗରେ ଦୁଇଜଣ ବିକାଶ କୁମାର ନାୟକ ଓ ମନୋଜ ପ୍ରଧାନ, ଦର୍ଶନ ଶାସ୍ତ୍ରରେ ସତ୍ୟରଞ୍ଜନ ମିଶ୍ର, ପରିସଂଖ୍ୟାନ ବିଭାଗର ଡଃ. ଭବାନୀ ଶଙ୍କର ମହାନ୍ତି, ଉଦ୍ଭିଦ ବିଜ୍ଞାନ ବିଭାଗରେ ସଂଯୁକ୍ତା ପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି । ଏହି ଅଧ୍ୟାପକମାନେ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ମହାବିଦ୍ୟାଳୟରେ ଅଧ୍ୟାପକ ସଙ୍କଟ ଲାଗି ରହିଥିବା ବେଳେ ୫ ଜଣ ଅଧ୍ୟାପକଙ୍କ ଯୋଗଦାନ ଛାତ୍ରଛାତ୍ରୀଙ୍କ ମହଲରେ ଖୁସୀର ଲହରୀ ଖେଳାଇ ଦେଇଛି । ଆସନ୍ତା ୨/୩ଦିନ ମଧ୍ୟରେ ଆଉ କେତେକ ଅଧ୍ୟାପକ ଏଠାରେ ଯୋଗଦେବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।