କୋରୋନା ଭାଇରସ୍‌

କୋରୋନା ଭାଇରସ୍‌ ବର୍ତ୍ତମାନ ସମଗ୍ର ବିଶ୍ବକୁ କବଳିତ କରିବାକୁ ଯାଉଛି। ଚୀନ୍‌ର ଉହାନ୍‌ ପ୍ରଦେଶରେ ଏହି ଭାଇରସ୍‌ର ପ୍ରଭାବ ଦେଖିବାକୁ ମିଳିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ଭାଇରସ୍‌ ପ୍ରଭାବରେ ଅଦ୍ୟାବଧି ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦୦ରୁ ଅଧିକ ସଙ୍କ୍ରମିତ ହୋଇଛନ୍ତି। ଏହି ଭାଇରସ୍‌ କାରଣରୁ ଚୀନ୍‌ର ୧୪ ଟି ସହରକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। କୋରୋନା ଭାଇରସ୍‌ର ନାମଟି ଦୁଇଟି ଶବ୍ଦରୁ ଆସିଅଛି। ଲାଟିନ୍‌ ଶବ୍ଦ କୋରୋନା ଏବଂ ଗ୍ରୀକ୍‌ ଶବ୍ଦ କୋରୋନେ (ଫୁଲହାର)ରୁ କୋରୋନା ଭାଇରସ୍‌ ନାମଟି ସୃଷ୍ଟି। ଏହି ଶବ୍ଦର ଅନ୍ୟାନ୍ୟ ଅର୍ଥ ହେଉଛି ସୌରମଣ୍ଡଳ ଏବଂ ମୁକୁଟ।
ଅର୍ଥୋକୋରୋନାଭାଇରିନ୍‌ ପ୍ରଜାତିରୁ ସୃଷ୍ଟ ଏହି ଭାଇରସ୍‌ ଦ୍ବାରା ଉଭୟ ପଶୁ ପକ୍ଷୀ ଏବଂ ମନୁଷ୍ୟ ପ୍ରଭାବିତ ହୋଇଥାନ୍ତି। ଗାଇ, ଘୁଷୁରୀ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଏହି ଭାଇରସ୍‌ ପ୍ରଭାବରେ ଡାଇରିଆ ହେଉଥିବା ବେଳେ ପକ୍ଷୀ ଏବଂ ମନୁଷ୍ୟଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ମନୁଷ୍ୟ ମାନଙ୍କ ଦ୍ବାରା ସଙ୍କ୍ରମିତ ହେଉଥିବା ୭ ପ୍ରକାରର କୋରୋନା ଭାଇରସ୍‌ ରହିଛି। ସେହିପରି ପଶୁପକ୍ଷୀଙ୍କ ଦ୍ବାରା ୪ ପ୍ରକାରର କୋରୋନା ଭାଇରସ୍‌ ସଙ୍କ୍ରମିତ ହୋଇଥାଏ। ସାଧାରଣ ଥଣ୍ଡା ଜ୍ବର ହେଉଥିଲେ ମଧ୍ୟ ଏହି ଭାଇରସ୍‌ ମନୁଷ୍ୟର ରାଇବୋ ନ୍ୟୁକ୍ଲିକ୍‌ ଏସିଡ୍‌(ଆରଏନ୍‌ଏ) ଦ୍ବାରା ବିସ୍ତାର ହୋଇଥାଏ। ଏହି ଭାଇରସ୍‌କୁ ସମଗ୍ର ବିଶ୍ବର ବୃହତମ ଆରଏନ୍‌ଏ ଭାଇରସ୍‌ ଭାବରେ ବିବେଚନା କରାଯାଏ। ବେଟା କୋରୋନା ଶ୍ରେଣୀର ଏହି ଭାଇରସ୍‌ ଆରଏନ୍‌ଏରେ ଉପଲବ୍ଧ ପ୍ରୋଟିନ୍‌ ହେମାଗ୍ଲୁଟିନ୍‌ ଇଷ୍ଟ୍ରିଜ୍‌ ଦ୍ବାରା ସଙ୍କ୍ରମିତ ହୋଇଥାଏ।
ଏହି ଭାଇରସ୍‌କୁ ପ୍ରଥମେ ୧୯୬୦ ମସିହାରେ ଚିହ୍ନଟ କରାଯାଇଥିଲା। କୁକୁଡା ଠାରେ ପ୍ରଥମେ ଏହି ଭାଇରସ୍‌ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ମଣିଷଙ୍କ ଠାରେ ମଧ୍ୟ ଏହି ଭାଇରସ୍‌କୁ ଚିହ୍ନଟ କରାଯାଇଥିଲା। ମନୁଷ୍ୟଙ୍କ ଠାରେ ମିଳୁଥିବା ଭାଇରସ୍‌କୁ ପ୍ରଥମେ ହ୍ୟୁମାନ କୋରୋନା ଭାଇରସ୍‌ ୨୨୯ଇ ଭାବରେ ନାମିତ କରାଯାଇଥିଲା। ୨୦୦୩ ପରଠାରୁ କ୍ରମାଗତ ତିନି ବର୍ଷ ଧରି ଏହି ଭାଇରସ୍‌ ବ୍ୟାପିଥିବା ବେଳେ ୨୦୧୨ରେ ଏହା ପୁନର୍ବାର ପ୍ରଭାବ ବିସ୍ତାର କରିଥିଲା। ପୁନର୍ବାର ଚଳିତ ବର୍ଷ ଏହି ଭାଇରସ୍‌ ପ୍ରତ୍ୟାବର୍ତ୍ତନ କରିଛି। ଏହି ଭାଇରସ୍‌ଟି ସହଜରେ ଚିହ୍ନଟ ହୋଇନଥାଏ। କାରଣ ଭାଇରସ୍‌ ପ୍ରଭାବରେ ସାଧାରଣ ଥଣ୍ଡା ହିଁ ହୋଇଥାଏ। ଥଣ୍ଡା ରୋଗର ଚିକିତ୍ସା ଯେପରି କରାଯାଏ ଏହି ଭାଇରସ୍‌ ସଙ୍କ୍ରମିତ ହେଲେ ଚିକିତ୍ସା ପ୍ରଣାଳୀ ସମାନ ରହିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ