କ୍ରାନ୍ତି ଯୁବ ଛାତ୍ର ସଂଗଠନ ପକ୍ଷରୁ ୯ ତମ ପ୍ରତିଷ୍ଠା ଦିବସ ପାଳନ
ଛତ୍ରପୁର, (ଦେବଦତ୍ତ ମହାରଣା) : କ୍ରାନ୍ତି ଯୁବ ଛାତ୍ର ସଂଗଠନ ପକ୍ଷରୁ ନବମ ତମ ପ୍ରତିଷ୍ଠା ଦିବସ ଧୂମଧାମରେ ପାଳନ ହୋଇଯାଇଛି । ଦୀର୍ଘ ଦିନ ଧରି ଛତ୍ରପୁର ସହରରେ ଛାତ୍ର ଯୁବକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଲଢେଇ କରିବା ସହ ବିଭିନ୍ନ ପ୍ରକାର ସାମାଜିକ କାମ ସହ ଯୋଡିତ ରହିଥିବା ବେଳେ ମଙ୍ଗଳବାର ଦିନ ଛତ୍ରପୁର ଷ୍ଟେସନରୋଡ ନିକଟସ୍ଥ କାର୍ଯ୍ୟାଳୟରେ ସଂଘର ସଦସ୍ୟମାନେ ନବମ ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି । ଏହି ଅବସରରେ ସଂଘର ସଭାପତି ଇଜୁ ଅମିନ ଖାନ କ୍ରାନ୍ତି ପତକା ଉତ୍ତୋଳନ କରିବା ସହ ଆଗାମୀ ଦିନରେ ସଂଗଠନର ଛାତ୍ର ଓ ଯୁବକ ମାନେ ଚାଷୀ ଓ ଶ୍ରମିକମାନଙ୍କ ନେତୃତ୍ୱ ନେବା ସହ ସେମାନଙ୍କ ପାଇଁ କିଭଳି ସଂଘର୍ଷ କରିବେ ଏହାକୁ ନେଇ ଉଦବୋଧନ ଦେଇଥିଲେ। ଚାଷୀ ନେତା ସୀମାଞ୍ଚଳ ନାହାକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମସଲାରେ ଅଗ୍ନି ସଂଯୋଗ କରିବା ସହ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂ ଫୋଟୋ ଚିତ୍ରରେ ମାଲ୍ୟାଅର୍ପଣ କରିଥିଲେ ଏବଂ ଛତ୍ରପୁରର ବିଭିନ୍ନ ସମସ୍ୟା ନେଇ କିଭଳି ଛାତ୍ର ଯୁବକ ମାନେ ଲଢେଇ କରିବେ ତାହାରି ଉପରେ ଆଲୋକପାତ କରିଥିଲେ । ଏହା ପରେ ସଂଗଠନର ସମସ୍ତ ସଦସ୍ୟ ଉଦବୋଧନ ରଖିବା ସହ ଶହୀଦ-ଏ-ଆଜମ ଭଗତ ସିଂ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରି ସଲାମ ଜଣେଇଥିଲେ । ଏହି ଅବସରରେ ପ୍ରତି ବର୍ଷଭଳି ଛତ୍ରପୁର ସ୍ଥାନୀୟ ସରକାରୀ ଚିକିତ୍ସାଳୟରେ ଡାକ୍ତର ଜୋସ୍ନା ରାଣି ସେଠିଙ୍କ ଉପସ୍ଥିତିରେ ସମସ୍ତ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ଜଲାଲ ଖାନ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ସଭାପତି ସୁବୋଧ ସୁମନ ସ୍ବାଇଁ, ଯୁବ ନେତା ଦୀପକ ରାଉଳ , ପ୍ରଦୀପ ନାହାକ , ଅଭିଷେକ ପଟ୍ଟନାୟକ, କୃଷ୍ଣ ନାହାକ, ଡି. ମହେଶ, ଜୁଗଦେବ ବେହେରା, ମାନସ ସ୍ୱାଇଁ, ହେମନ୍ତ ବେହେରା ଓ କୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।


