ଖଣି ଓ ଶିଳ୍ପରେ ସମୃଦ୍ଧ, ଗାଁରେ ଦୁର୍ଦ୍ଦଶା! ରାୟଗଡ଼ା ଜିଲ୍ଲାରେ ୪୬୭ ଗାଁକୁ ରାସ୍ତା ନାହିଁ

ଗୁଣପୁର, (ୱାଇଏନଏସ ):ଖଣି, ଶିଳ୍ପ ଓ ରେଳ ଭିତ୍ତିଭୂମିରେ ରାୟଗଡ଼ା ଜିଲ୍ଲାକୁ ଶିଳ୍ପ କରିଡର୍‌ ଭାବେ ଗଢ଼ିତୋଳିବାର ସ୍ୱପ୍ନ ଦେଖାଯାଉଛି। ଜିଲ୍ଲାରେ ସ୍ୱତନ୍ତ୍ର ରେଳ ଡିଭିଜନ୍‌ ପ୍ରତିଷ୍ଠା ଠାରୁ ଆରମ୍ଭ କରି ଖଣି ଓ ଶିଳ୍ପାୟନର ବିସ୍ତାର ପାଇଁ ଯୋଜନା ଚାଲିଛି। ହେଲେ ଏହି ବିକାଶର ଚକଚକି ଆଢ଼ୁଆଳରେ ଗ୍ରାମାଞ୍ଚଳର ବାସ୍ତବ ଚିତ୍ର ଅତ୍ୟନ୍ତ ଦୟନୀୟ। ଆଜି ବି ଜିଲ୍ଲାର ୪୬୭ଟି ଗାଁ ରାସ୍ତା ସମସ୍ୟାରେ ଜର୍ଜରିତ ଥିବାବେଳେ ପ୍ରାୟ ୮୦୦ଟି ଗାଁ ମୋବାଇଲ୍‌ ନେଟ୍‌ୱର୍କ ସୁବିଧାରୁ ବଞ୍ଚିତ। ଫଳରେ ଆଧୁନିକ ବିକାଶର ଯୁଗରେ ମଧ୍ୟ ହଜାର ହଜାର ଗ୍ରାମବାସୀ ବିଚ୍ଛିନ୍ନାଞ୍ଚଳ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଏହି ଦୟନୀୟ ସ୍ଥିତିକୁ ବିଧାନସଭାରେ ରାୟଗଡା ବିଧାୟକ ଆପଲସ୍ବାମୀ କାଡ୍ରକାଙ୍କ ପ୍ରଶ୍ନରେ ଖୋଦ୍‌ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଲିଖିତ ଉତ୍ତର ଆହୁରି ସ୍ପଷ୍ଟ କରିଛି। ବିଧାନସଭାର ପ୍ରଶ୍ନ ସଂଖ୍ୟା ୩୮୨ର ଉତ୍ତରରେ ରାୟଗଡ଼ା ଜିଲ୍ଲାର ୧୬୮ଟି ଗାଁକୁ କଚ୍ଚା ରାସ୍ତା ନଥିବା ଏବଂ ୨୯୯ଟି ଗାଁକୁ ପକ୍କା ରାସ୍ତା ନଥିବା ତଥ୍ୟ ଦିଆଯାଇଛି। ଅର୍ଥାତ୍‌ ରାସ୍ତା ଭିତ୍ତିଭୂମିର ଅଭାବ ଜିଲ୍ଲାର ଗ୍ରାମାଞ୍ଚଳ ବିକାଶ ପାଇଁ ଏକ ବଡ଼ ପ୍ରତିବନ୍ଧକ ହୋଇ ରହିଛି। ବ୍ଲକ୍‌ୱାରୀ ତଥ୍ୟ ଅନୁଯାୟୀ, କଚ୍ଚା ରାସ୍ତା ନଥିବା ଗାଁ ମଧ୍ୟରେ କାଶୀପୁର ବ୍ଲକ୍‌ରେ ସର୍ବାଧିକ ୬୦ଟି, ମୁନିଗୁଡ଼ାରେ ୪୫ଟି, କଲ୍ୟାଣସିଂହପୁରରେ ୩୧ଟି, ଗୁଡ଼ାରିରେ ୧୫ଟି, ପଦ୍ମପୁରରେ ୯ଟି ଏବଂ ଚନ୍ଦ୍ରପୁର ଓ ରାୟଗଡ଼ା ବ୍ଲକ୍‌ରେ ୪ଟି ଲେଖାଏଁ ଗାଁ ରହିଛି। ସେହିପରି ପକ୍କା ରାସ୍ତା ନଥିବା ଗାଁ ମଧ୍ୟରେ ମୁନିଗୁଡ଼ା ବ୍ଲକ୍‌ରେ ସର୍ବାଧିକ ୮୩ଟି, କାଶୀପୁରରେ ୫୮ଟି, ରାୟଗଡ଼ାରେ ୩୨ଟି, କଲ୍ୟାଣସିଂହପୁରରେ ୩୦ଟି, ବିଷମକଟକରେ ୨୩ଟି, ରାମନାଗୁଡ଼ାରେ ୨୦ଟି, ଗୁଡ଼ାରିରେ ୧୭ଟି, ପଦ୍ମପୁରରେ ୧୬ଟି, ଗୁଣପୁରରେ ୧୧ଟି, କୋଲନରାରେ ୫ଟି ଓ ଚନ୍ଦ୍ରପୁରରେ ୪ଟି ଗାଁ ରହିଛି। ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଉଛି, ଗମନାଗମନ ସମସ୍ୟାର ସମାଧାନ ପାଇଁ ଗତ ମେ’ ମାସରେ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୦୭ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରାସ୍ତା ନିର୍ମାଣ କାର୍ଯ୍ୟ ରହିଥିଲେ ମଧ୍ୟ ଟେଣ୍ଡର ପ୍ରକ୍ରିୟାରେ ତ୍ରୁଟି ଓ ବିଭାଗୀୟ ଅବହେଳା ଯୋଗୁଁ କାର୍ଯ୍ୟରେ ଆଶାନୁରୂପ ଅଗ୍ରଗତି ହୋଇନଥିବା ଅଭିଯୋଗ ହେଉଛି। ଅନୁଦାନ ଘୋଷଣା ଓ ଯୋଜନା ପ୍ରସ୍ତୁତି ମଧ୍ୟରେ ସୀମିତ ରହିଯାଇଛି କି ଗ୍ରାମାଞ୍ଚଳର ବିକାଶ, ଏବେ ଏହା ଏକ ବଡ଼ ପ୍ରଶ୍ନ।
ଅନ୍ୟପଟେ, ଜିଲ୍ଲାର ପ୍ରାୟ ୮୦୦ଟି ଗାଁରେ ମୋବାଇଲ୍‌ ନେଟ୍‌ୱର୍କ ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ଜରୁରୀକାଳୀନ ସେବା, ଅନଲାଇନ୍‌ ସରକାରୀ ସୁବିଧା ଓ ଡିଜିଟାଲ୍‌ ଯୋଗାଯୋଗ ଗୁରୁତର ଭାବେ ପ୍ରଭାବିତ ହେଉଛି। ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ରୋଗୀଙ୍କୁ ଡାକ୍ତରଖାନା ନେବା, ଛାତ୍ରଛାତ୍ରୀଙ୍କ ଅନଲାଇନ୍‌ ପାଠପଢ଼ା ଏବଂ ସରକାରୀ ଯୋଜନାର ସୂଚନା ପାଇବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଏହା ବାଧକ ସାଜିଛି। ଜିଲ୍ଲାର ୧୧ଟି ବ୍ଲକ୍‌ରେ ପ୍ରାୟ ୧୨ ଲକ୍ଷ ଲୋକ ବସବାସ କରୁଥିବାବେଳେ ୫୬ ପ୍ରତିଶତ ଅନୁସୂଚିତ ଜନଜାତି ଓ ୧୫ ପ୍ରତିଶତ ଅନୁସୂଚିତ ଜାତିର ଲୋକ ଅଛନ୍ତି। ବିଶେଷକରି ଡଙ୍ଗରିଆ କନ୍ଧ ଅଧ୍ୟୁଷିତ ବିଷମକଟକ, ମୁନିଗୁଡ଼ା ଓ କଲ୍ୟାଣସିଂହପୁର ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ ବିକାଶର ଗତି ଏବେ ବି ମନ୍ଥର ରହିଛି। ଏପରି ସ୍ଥିତିରେ ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରକା ଏବଂ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଜିଲ୍ଲା ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। କଂଗ୍ରେସରୁ ନିର୍ବାଚିତ ହୋଇଥିବାରୁ ତାଙ୍କ ପକ୍ଷରୁ ଦିଆଯାଉଥିବା ଉନ୍ନତିମୂଳକ କାର୍ଯ୍ୟର ପ୍ରସ୍ତାବକୁ ପ୍ରଶାସନର ଅଧିକାରୀ ମାନେ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛନ୍ତି। ଯଦି ଏହି ଅଭିଯୋଗ ସତ୍ୟ, ତେବେ ଏହା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆହୁରି ଚିନ୍ତାଜନକ ବିଷୟ। ଖଣି ଓ ଶିଳ୍ପରୁ ରାଜ୍ୟ ରାଜସ୍ୱ ପାଉଥିବା ରାୟଗଡ଼ାର ଗ୍ରାମାଞ୍ଚଳବାସୀ କେବେ ମୌଳିକ ସୁବିଧା ପାଇବେ? କେବେ ପ୍ରତ୍ୟେକ ଗାଁକୁ ସବୁଦିନିଆ ରାସ୍ତା ଓ ମୋବାଇଲ୍‌ ନେଟ୍‌ୱର୍କ ପହଞ୍ଚିବ? ୫୦୭ କୋଟି ଟଙ୍କାର ଅନୁଦାନର ବାସ୍ତବ ଫଳାଫଳ କେବେ ମିଳିବ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏବେ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି। ଶିଳ୍ପାୟନର ମାନଚିତ୍ରରେ ରାୟଗଡ଼ାର ନାମ ଯୋଡ଼ିବା ପୂର୍ବରୁ ଗାଁର ମୌଳିକ ବିକାଶକୁ ପ୍ରାଥମିକତା ଦେବା ଜରୁରୀ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ