ଖବର ପ୍ରକାଶ ପାଇବା ପରେ ଛାନିଆ ହେଲା ଜଳ ସମ୍ପଦ ବିଭାଗ ତରବରିଆ କାମକୁ ବନ୍ଦ କଲେ ଲୋକେ
ହାଟଡିହି, (ୱାଇ ଏନ ଏସ): ବିଦ୍ୟାଧରପୁର କେନାଲ ଡ଼ିଭିଜନରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଓ ତଦନ୍ତ ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଖବର ଆଜି ଦୈନିକ ‘ସମ୍ବାଦ’ ରେ ପ୍ରକାଶ ପାଇବା ପରେ ଜଳସମ୍ପଦ ବିଭାଗ ଛାନିଆ ହୋଇଯାଇଛି। ଦୁର୍ନୀତିକୁ ଲୁଚାଇବାକୁ ଯାଇ ଆଜି ତରବରିଆ ଭାବେ ହଦଗଡ଼ ଡ୍ୟାମ ନିକଟସ୍ଥ ବଙ୍ଗଳା ପାଖରେ ରଙ୍ଗ ବୋଳୁଥିବା ବେଳେ ସ୍ଥାନୀୟ ଲୋକମାନେ କାମକୁ ବନ୍ଦ କହିଛନ୍ତି।ବିଦ୍ୟାଧରପୁର କେନାଲ ଡ଼ିଭିଜନର ହଦଗଡ଼ ସବ ଡିଭିଜନ ରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ବିଦ୍ୟାଧରପୁର ବିକାଶ ମଞ୍ଚ ପକ୍ଷରୁ ଅଭିଯୋଗ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରଯାଇଥିଲା। ହଦଗଡ଼ ସବଡ଼ିଭିଜନ ଅଣ ଯୋଜନାରେ ୮୧ଜଣଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ ଥିବାବେଳେ ଅନେକ ଗୁଡ଼ିଏ ପ୍ରକଳ୍ପର କାର୍ଯ୍ଯ ନହୋଇ ଅନୁଦାନ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବିଶେଷକରି ହଦଗଡ଼ ଡ୍ୟାମ, ବିଦ୍ୟାଧରପୁର ବ୍ୟାରେଜର ମେଣ୍ଟେନାନସ ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ମାଟିକାମ, ସ୍ଲୁଇସ୍ ଗେଟ ମରାମତି, କେନାଲ ଡିସିଲିଂ, ବନ୍ଧ ସଶକ୍ତୀକରଣ, ଭଙ୍ଗା ମରାମତି ଏବଂ ନିର୍ମାଣ ଭଳି କାର୍ଯ୍ୟ ପାଇଁ ମିଥ୍ୟା ବିଲ୍ ପ୍ରସ୍ତୁତ କରା ଯାଇଥିବା ଅଭିଯୋଗ ହୋଇଛି।ହଦଗଡ ଜଳସମ୍ପଦ ବିଭାଗ ବଙ୍ଗଳାର ସୋନ୍ଦର୍ଯ୍ୟ କରଣ ନାମରେ ଏଗ୍ରିମେଣ୍ଟ ନଂ ୦୫/୨ରେ ୧୭/୭/୨୦୨୩ରେ ୪ଲକ୍ଷ ୯ହଜାର ୯୫୫ଟଙ୍କା ଖର୍ଚ୍ଚ କରଯାଇଥିବା ଦର୍ଶା ଯାଇଥିଲା। ଏପରିକି ୧୬/୮/୨୦୨୩ରେ କାମ ସମ୍ପୂର୍ଣ୍ଣ ହୋଇଥିବା ଉଲ୍ଲେଖ ଅଛି। କିନ୍ତୁ ବାସ୍ତବରେ ସେପରି କୌଣସି କାମ ହୋଇନଥିଲା। କାଳେ ତଦନ୍ତ ହେବ, ତଦନ୍ତ ହେଲେ ଧରାପଡ଼ିବା ଭୟରେ ଆଜି ୧୦/୧୨ଜଣ ଶ୍ରମିକ ଓ ମିସ୍ତ୍ରୀ ଯାଇ ରଙ୍ଗ କାମ କରି ଦୁର୍ନୀତିକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ। ଏ ଘଟଣା ଜଣା ପଡ଼ିଯିବା ପରେ ବିଦ୍ୟାଧରପୁର ବିକାଶ ମଞ୍ଚର ସଦସ୍ୟ ଓ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଘଟଣାସ୍ଥଳରେ ପହଞ୍ଚି କାମକୁ ବନ୍ଦ କରିଥିଲେ। ଦୁଇବର୍ଷ ହେଲା କାମ ସରିଛି, ବିଲ୍ ହୋଇ ଟଙ୍କା ବି ଉଠାଇ ନେଇଛନ୍ତି, ଅଜି ପୁଣି କି କାମ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ସ୍ଥାନୀୟ ଲୋକମାନେ ଉତ୍ୟେକ୍ତ ହେବା ଦେଖି ଠିକାଦାର ଘଟଣାସ୍ଥଳ ଛାଡ଼ି ପଳାଇଥିବା ଶୁଣିବାକୁ ମିଳୁଛି। ଆଜିର ଘଟଣା ପରେ ଏଠାରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରମାଣ ସ୍ପଷ୍ଟ ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ପ୍ରଶାନ୍ତ ଜେନାଙ୍କୁ ମତାମତ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ଟେଲିଫୋନ ଉଠାଇ ନଥିଲେ। ଏହି ଘଟଣାର ଉଚ୍ଚ ସ୍ଥାନୀୟ ତଦନ୍ତ ହେଲେ କୋଟିକୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାଶ ହେବ ବୋଲି ବିକାଶ ମଞ୍ଚର ସଭ୍ୟ ମାନେ କହିଛନ୍ତି।