ଖାଲି ଥିବା ପଦବୀ ପୁରଣ ଓ ବହୁ ବର୍ଷ ଧରି ଥିବା କର୍ମଚାରୀଙ୍କୁ ବଦଳି ଦାବି
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ-୨ରେ ଖାଲି ପଡିଥିବା ପଦବୀକୁ ପୁରଣ କରାଯିବା ସହ ଦୀର୍ଘବର୍ଷ ଧରି ଏହି ଡିଭିଜନ କାର୍ଯ୍ୟାଳୟରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ତୁରନ୍ତ ବଦଳି କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ ସୂଚନା ଅଧିକାର ଆଇନ ବଳରେ ପ୍ରଦାନ କରାଯାଇଥିବା ତଥ୍ୟ କହୁଛି ଯେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ (ଆରଡି) ଡିଭିଜନ-୨ରେ ବହୁ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡ଼ିରହିଛି। ଫଳରେ ବିଭାଗୀୟ କାର୍ଯ୍ୟ ସମ୍ପାଦନରେ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଉକ୍ତ କାର୍ଯ୍ୟାଳୟରେ ଅନେକ ଅଧିକାରୀ ଓ କର୍ମଚାରୀମାନେ ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ଫଳରେ ସେମାନେ ବିଭିନ୍ନ ଅନିୟମିତତା କରିବା ସହିତ ନିଜ ମାନମାନିରେ ଅଫିସ ଚଳାଉଛନ୍ତି। ତଥ୍ୟ ଅନୁଯାୟୀ କନିଷ୍ଠଯନ୍ତ୍ରୀ ସମୀରରଞ୍ଜନ ବେହେରା ପ୍ରାୟ ୯ ବର୍ଷ ହେବ ଏଠାରେ ରହିଥିବା ବେଳେ, କନିଷ୍ଠଯନ୍ତ୍ରୀ ଜ୍ୟୋତିର୍ମୟୀ ଦଳାଇ ୭ ବର୍ଷ ୨ ମାସରୁ ଉର୍ଦ୍ଧ୍ୱ ହେବ ଅଛନ୍ତି, କନିଷ୍ଠଯନ୍ତ୍ରୀ ପ୍ରଜ୍ଞା ପରମିତା କରଶର୍ମା ପ୍ରାୟ ୫ ବର୍ଷ ୧ ମାସରୁ ଉର୍ଦ୍ଧ୍ୱ ରହିଛନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ରାଉତ ପ୍ରାୟ ୬ ବର୍ଷ ହେବ ରହିଥିବା ବେଳେ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଗାଣ ପ୍ରାୟ ୪ ବର୍ଷ ହେବ ଅଛନ୍ତି, ସେହିପରି କ୍ଲର୍କ ପରୀକ୍ଷିତ ଦାସ ୬ ବର୍ଷ ୪ ମାସରୁ ଉର୍ଦ୍ଧ୍ୱ, କ୍ଲର୍କ ସୁକାନ୍ତି ଦାସ ୬ ବର୍ଷ ୪ ମାସରୁ ଉର୍ଦ୍ଧ୍ୱ, କ୍ଲର୍କ ଅଲେନୁର ଖାନ ୬ ବର୍ଷ ୮ ମାସରୁ ଉର୍ଦ୍ଧ୍ୱ, କ୍ଲର୍କ ବିଶ୍ୱନାଥ ମହାକୁଳ ୬ ବର୍ଷ ୬ ମାସରୁ ଉର୍ଦ୍ଧ୍ୱ, କ୍ଲର୍କ ସୁବାସ ଚନ୍ଦ୍ର ବିଶ୍ୱାଳ ୫ ବର୍ଷରୁ ଉର୍ଦ୍ଧ୍ୱ, କ୍ଲର୍କ ଧିରେନ୍ଦ୍ର ବେହୁରା ୪ ବର୍ଷ ୫ ମାସରୁ ଉର୍ଦ୍ଧ୍ୱ ହେବ ଏଠାରେ ରହିଛନ୍ତି। ଯାହା ସରକାରୀ ନୀତି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଛି। ଏମାନେ ଗୋଟିଏ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଅବସ୍ଥାପିତ ରହିବା ଫଳରେ ପ୍ରଶାସନିକ ସ୍ୱଚ୍ଛତା ଓ ନିରପେକ୍ଷତା ପ୍ରତି ପ୍ରଶ୍ନ ଉଠିଥିବା ବେଳେ ଏହି କାର୍ଯ୍ୟାଳୟରେ ଅନିୟମିତତା ଓ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସେହିପରି କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ରେ ମଧ୍ୟ ଅନେକ ପଦବୀ ଦୀର୍ଘବର୍ଷ ଧରି ଖାଲି ପଡ଼ିରହିଥିବା ବେଳେ ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ଅବସ୍ଥାପିତ ଥିବା ଅଧିକାରୀ ଓ କର୍ମଚାରୀମାନେ ନିଜର ମାନମାନି ଚଳାଉଛନ୍ତି। ଗ୍ରାମ୍ୟ ଉନ୍ନୟନ (ଆରଡି) ଡିଭିଜନ-୧ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ବଳରେ ସୂଚନା ପ୍ରଦାନ ନିମତ୍ତ ଆବେଦନ କରାଯାଇଥିଲେ ମଧ୍ୟ ଆବଶ୍ୟକୀୟ ସୂଚନା ସମୟସୀମା ମଧ୍ୟରେ ଓ ସମ୍ପୂର୍ଣ୍ଣ ଭାବେ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ଉପରୋକ୍ତ ଅଭିଯୋଗର ଏକ ଉଚ୍ଚସ୍ତରୀୟ ତଦନ୍ତ ପୂର୍ବକ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏଥିସହିତ କେନ୍ଦ୍ରାପଡ଼ା ଆରଡି ଡିଭିଜନ-୧ ଏବଂ ୨ରେ ଖାଲି ପଡ଼ିଥିବା ସମସ୍ତ ପଦବୀର ତଥ୍ୟ ଯାଞ୍ଚ କରାଯାଇ ତୁରନ୍ତ ଆବଶ୍ୟକୀୟ ନିଯୁକ୍ତି ବ୍ୟବସ୍ଥା କରାଯିବା, ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିବା ଉପରୋକ୍ତ ୧୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ବଦଳି କରାଯିବା ଏବଂ ଏହି କାର୍ଯ୍ୟାଳୟ ଦ୍ୱୟରେ ଦୀର୍ଘଦିନ ଧରି ଚାଲିଥିବା ଅନିୟମିତତା ଓ ଦୁର୍ନୀତି ସମ୍ପର୍କରେ ନିରପେକ୍ଷ ତଦନ୍ତ କରାଯିବାକୁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।


