ଖୁବ୍ ଶୀଘ୍ର ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶୀ, ଖୋଜାଚାଲିଛି ଘାତକ, ଦଉଡ଼ି
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀ ଫାଶୀ ପାଇବା ସ୍ପଷ୍ଟ ହେବା ପରେ ଦିଲ୍ଲୀ ତିହାର ଜେଲ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଘାତକ ଓ ଦଉଡ଼ି ଯୋଗାଡ଼ ହେବା ପରେ ଯେ କୌଣସି ମୁହୂର୍ତ୍ତରେ ଦୋଷୀଙ୍କୁ ଫାଶୀ ଦିଆଯାଇପାରେ। ତେବେ ଆଗାମୀ ୧୬ ତାରିଖ ମଧ୍ୟରେ ଦୋଷୀମାନଙ୍କୁ ଫାଶୀ ଦିଆଯାଇପାରେ ବୋଲି କେତେକ ମହଲରେ ଚର୍ଚ୍ଚା ହେଉଛି।
ଉତ୍ତର ପ୍ରଦେଶର ମିରଟ୍ ଜେଲ୍ରୁ ଜଣେ ଘାତକ ମଗାଉଛି ବୋଲି କୁହାଯାଉଛି। ମାମଲାର ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତ ରବିବାର ଦିନ ମଣ୍ଡୋଲି ଜେଲ୍ରୁ ତିହାର ଜେଲ୍କୁ ସ୍ଥାନାନ୍ତରିତ ହେବା ପରେ ଉତ୍ତର ପ୍ରଦେଶର ଜେଲ୍ କର୍ତ୍ତୃପକ୍ଷ ଉପରୋକ୍ତ ଅନୁରୋଧ ପତ୍ର ପାଇଥିବା କଥା କହିଛନ୍ତି। ଏହି ମାମଲାର ଅନ୍ୟ ତିନି ଦୋଷୀ- ଅକ୍ଷୟ ଠାକୁର, ମୁକେଶ ସିଂହ ଏବଂ ବିନୟ ଶର୍ମା ପୂର୍ବରୁ ତିହାର ଜେଲ୍ରେ ଅଛନ୍ତି। ତିହାର ଜେଲ୍ କର୍ତ୍ତୃପକ୍ଷ ମୃତ୍ୟୁ ଦଣ୍ଡାଦେଶ ପାଇଥିବା କେତେକ ଦୋଷୀଙ୍କର ନ୍ୟାୟିକ ଏବଂ ସାମ୍ବିଧାନିକ ପ୍ରତିକାର ବ୍ୟବସ୍ଥା ଶେଷ ହୋଇଯାଇଥିବା କଥା ଉଲ୍ଲେଖ କରିଛନ୍ତି। ଅର୍ଥାତ୍ ସେମାନଙ୍କୁ ଏବେ ଫାଶୀ ଦିଆଯିବାର ସମୟ ଆସି ଯାଇଥିବା କଥା ସେ ପ୍ରକାରାନ୍ତରେ ସୂଚାଇଛନ୍ତି ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଫାଶୀ ଦଉଡ଼ି ପ୍ରସ୍ତୁତି କରାଇବା ପାଇଁ ତିହାର ଜେଲ୍ କର୍ତ୍ତୃପକ୍ଷ ବିହାରର ବକ୍ସର୍ ଜେଲ୍କୁ କହିଛନ୍ତି। ବକ୍ସର୍ ଜେଲ୍ରୁ ତିହାର ଜେଲ୍ କର୍ତ୍ତୃପକ୍ଷ ୧୦ଟି ନୂଆ ଦଉଡ଼ି ଲାଗି ବରାଦ ଦେଇଛନ୍ତି। ବକ୍ସର୍ ଜେଲ୍ର କଏଦୀମାନେ ଦଉଡ଼ି ବଳନ୍ତି। ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତମାନଙ୍କୁ ବିନା ପାରିଶ୍ରମିକରେ ଫାଶୀରେ ଝୁଲାଇବେ ବୋଲି ୧୫ ଜଣ ସାଧାରଣ ନାଗରିକ ଅନୁରୋଧ କରିଛନ୍ତି। ସେଗୁଡ଼ିକୁ ମଧ୍ୟ ବିଚାରକୁ ନିଆଯାଇଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।


