ଖେଳପଡ଼ିଆ ନିର୍ମାଣ କାର୍ଯ୍ୟରେ ଘୋର ଦୁର୍ନୀତି
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ) :ସରକାର ଜନକଲ୍ୟାଣ ପାଇଁ ବହୁ ଯୋଜନାମାନ କରୁଛନ୍ତି, ପଞ୍ଚାୟତଠାରୁ ଆରମ୍ଭ କରି ଗ୍ରାମ, ସହର ପର୍ଯ୍ୟନ୍ତ । ମାତ୍ର ବାସ୍ତବରେ ଏହାର ସଫଳ ରୂପାୟନ କିପରି ହେଉଛି, ତାହାର ତଦାରଖ ହେଉନାହିଁ । ସ୍ୱଚ୍ଛ ଶାସନ ଓ କାମର ଦ୍ୱାହି ଦେଇ ଠିକାଦାର, ଯନ୍ତ୍ରୀ ସମସ୍ତେ ନିରୀହ ଜନସାଧାରଣଙ୍କୁ ଠକିବାରେ ଲାଗିଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ହରିପୁର ଗ୍ରାମରେ । ହରିପୁର ଭୂତକୁଦୀଆଠାରେ ଖେଳ ପଡ଼ିଆ ନିର୍ମାଣକୁ ନେଇ ହେଉଥିବା ମହାଦୁର୍ନୀତି, ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ଜରିଆରେ ଆସିଥିବା ଖେଳପଡ଼ିଆ ନିର୍ମାଣ ନ ହୋଇ କିପରି ଭାବରେ ନିର୍ମାଣ ସରିଗଲା ଓ ବିଲ୍ ପାସ୍ କରାଗଲା ତାହା ଏବେ ଗ୍ରାମବାସୀ ପ୍ରଶ୍ନ କରିବା ସହିତ ଉକ୍ତ ନିର୍ମାଣ କାର୍ଯ୍ୟ ପାଇଁ ଠିକା ନେଇଥିବା ରାମଚନ୍ଦ୍ର ବରାଳଙ୍କୁ ଗ୍ରାମବାସୀମାନେ ପଚାରିବାରୁ ସେ ଟାଳଟୁଳ ନୀତି ଅବଲମ୍ବନ କରିବା ସହିତ ଆଜି କାଲି କରିଦେବି କହି ଭୁଆଁ ବୁଲଉଛନ୍ତି । ଏଥି ସହିତ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧୋବେଇ ନାୟକଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିବା ସହିତ, ଆର୍.ଟି.ଆଇ. ଅଧିକାରୀଙ୍କୁ ଗ୍ରାମବାସୀମାନେ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । କାର୍ଯ୍ୟ ଅଟକଳ ପରିମାଣ ରାଶି ୫ ଲକ୍ଷ ଟଙ୍କା ଓ କାର୍ଯ୍ୟ ଆରମ୍ଭ ଅଗଷ୍ଟ ୮, ୨୦୨୦ରୁ ଶେଷ ଅକ୍ଟୋବର ୩୧, ୨୦୨୦ ଥିଲା । ମାତ୍ର ଘୋର ପରିତାପର ବିଷୟ ଖେଳ ପଡ଼ିଆ ନିର୍ମାଣ ହେବାର କୌଣସି ଚିହ୍ନବର୍ଣ୍ଣ ନଥିଲା । ଉକ୍ତ ଗ୍ରାମର ଜନସାଧାରଣ ଏହି କାର୍ଯ୍ୟରେ ଘୋର ଦୁର୍ନୀତି ହୋଇଥିବାର ସ୍ପଷ୍ଟ ଗନ୍ଧ ବାରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ଗ୍ରାମବାସୀଙ୍କ ତରଫରୁ ବାସୁଦେବ ନାୟକ, ଉମେଶ ଦାସ, ରାଜେଶ ନାୟକ, ଶିବଶଙ୍କର ବରାଳ, ଚିତ୍ତରଞ୍ଜନ ଖୁଣ୍ଟିଆ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।