ଗଜପତିରୁ ବିହାରକୁ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଆର୍.ଉଦୟଗରି ଥାନା ପକ୍ଷରୁ ଯାଞ୍ଚ କରାଯାଇ ୫୦ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଆର୍.ଉଦୟଗିରି ଥାନା ପୋଲିସ ପକ୍ଷରୁ ପେଟ୍ରୋଲିଂ ବେଳେ କୌଣସି ସୂତ୍ରରୁ ଖବର ପାଇ ପତେଇଗୁଡା ଓ ଅନୁଗୁରୁ ଗ୍ରାମ ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲରୁ ୯ କୁଇଣ୍ଟାଲ ଗଞ୍ଜେଇକୁ ୨୪ଗୋଟି ବସ୍ତାରେ ଚାଲଣ ପାଇଁ ସଜବାଜ ହେଉଥିଲେ । ଇତି ମଧ୍ୟରେ ଆର୍.ଉଦୟଗିରି ପୋଲିସ ସେଠାରେ ପହଂଚି ଅତର୍କିତ ଚଢାଉ ଓ ଯାଞ୍ଚ କରିଥିଲେ । ଏହି ଚୋରା ଗଞ୍ଜେଇକୁ ବିହାର ରାଜ୍ୟକୁ ଚାଲାଣ କରିବା ପାଇଁ ପ୍ରସ୍ତୁତି କରୁଥିଲେ । ଚଢାଉ ସମୟରେ ଘଟଣାସ୍ଥଳରୁ ପୋଲିସକୁ ଦେଖି ୩ଜଣ ଚମ୍ପଟ ମାରିଥିବା ବେଳେ ଜଣକୁ କାବୁ କରି ଗିରଫ କରିଥିଲା ପୋଲିସ । ସେ ହେଲେ ବିହାର ରାଜ୍ୟର ରୋହତାସ ଜିଲ୍ଲା ବିକ୍ରମଗଞ୍ଜ ଥାନା ଅନ୍ତର୍ଗତ ଧନୀଗାଁଓର ସୋନୁ ପାଶ୍ୱାନ । ଜବତ ହୋଥିବା ଗଞ୍ଜେଇ ୯କୁଇଣ୍ଟାଲ ୭୮ କେଜି ୯୦୦ ଗ୍ରାମ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ତେବେ ଜିଲ୍ଲାରେ ଏପରି ଗଞ୍ଜେଇ ଧରପଗଡ କାର୍ଯ୍ୟକ୍ରମକୁ ଆହୁରି ଜୋର୍ଦାର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ ।


