କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନିୟମିତତା: ଅସନ୍ତୋଷ ପ୍ରକାଶ କଲେ ପ୍ରକଳ୍ପ ନିର୍ଦେଶକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଚାଲିଥିବା ଅବ୍ୟବସ୍ଥା ଓ ଅନିୟମିତତାକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦୟାମୟ ପାଢ଼ୀଙ୍କ ଅଚାନକ ଗସ୍ତ ସମୟରେ ଏସବୁ ଦେଖି ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି. ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଏହି ଗସ୍ତ ବେଳେ କାଶୀନଗର ବିଡିଓ ଡମ୍ବୁରଧର ମଲ୍ଲିକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହକାରୀ ତହସିଲଦାର କେ, ଦିବ୍ୟରଞ୍ଜନ, ଏମଇ ରଜତ ପାଢ଼ୀ ଉପସ୍ଥିତ ରହିଥିଲେ I ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ ସେବା, ପରିଚ୍ଛନ୍ନତା, କର୍ମଚାରୀଙ୍କ ଉପସ୍ଥିତି ଓ ସରକାରୀ ନିୟମ ପାଳନ ସମ୍ବନ୍ଧୀୟ ଅନେକ ଗୁରୁତର ତ୍ରୁଟି ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକଳ୍ପ ନିର୍ଦ୍ଦେଶକ ଗସ୍ତ ସମୟରେ ରୋଗୀଙ୍କ ସୁବିଧା ପାଇଁ ନୂତନ ଭାବେ ନିର୍ମାଣ ହୋଇଥିବା କୋଠରୀରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ସରକାରଙ୍କ ଆର୍ଥିକ ଅନୁଦାନରେ ନିର୍ମାଣ ହୋଇଥିବା କୋଠା ରୋଗୀଙ୍କ କାମରେ ନ ଆସି ଅଚଳ ଅବସ୍ଥାରେ ପଡ଼ିରହିବାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ହସ୍ପିଟାଲର କିଛି କର୍ମଚାରୀ ଡ୍ୟୁଟି ସମୟରେ ଅନୁପସ୍ଥିତ ଥିବା ବେଳେ ରୋଗୀଙ୍କ ବେଡ୍ ଅପରିଷ୍କାର ରହିଥିବା ସହ ଡାକ୍ତରଖାନା ପରିସରରେ ସ୍ବଚ୍ଛତାର ଅଭାବ ଓ ରେକର୍ଡ ଫାଇଲ ଠିକ୍ ଭାବେ ରଖାନଯିବା ଭଳି ଅନେକ ଅନିୟମିତତା ତାଙ୍କ ନଜରକୁ ଆସିଥିଲା ।


